ସ୍କୁଟି ଉପରେ ମାଡ଼ିଗଲା କଦଳୀ ବୋଝେଇ ଟ୍ରକ୍‌, ୨ ଛାତ୍ର ମୃତ, ୧ ଗୁରୁତର

ଖଣ୍ଡଗିରି : ଶନିବାର ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା-ଫାୟାର୍ ଷ୍ଟେସନ୍ ଓଭରବ୍ରିଜ୍ ଉପରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମୃତକମାନେ ହେଲେ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରେ ରହୁଥିବା ହିମାଂଶୁ ପତିମିଶ୍ରଙ୍କ ପୁଅ ଚନ୍ଦ୍ରାଂଶୁ ପତିମିଶ୍ର(୧୮) ଓ ଖଣ୍ଡଗିରି ପାତ୍ରପଡ଼ା ଶ୍ରେୟା ପ୍ୟାଲେସ୍ ଅଞ୍ଚଳରେ ରହୁଥିବା ଚଣ୍ଡୀପ୍ରସାଦ ବାଗ୍‌ଙ୍କ ପୁଅ ଗିରଜା ଶଙ୍କର ବାଗ୍‌(୧୮)। ଆହତ ଯୁବକ ହେଉଛନ୍ତି ଖଣ୍ଡଗିରି କୋଳଥିଆ ଅଞ୍ଚଳର ସୌମ୍ୟ କେତନ ସାହୁ। ତିନିଜଣଯାକ ମେଧାବୀ ଛାତ୍ର ଥିଲେ ଓ ରାଜଧାନୀର ଏକ ପ୍ରତିଷ୍ଠିତ କଲେଜରୁ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ(ସିବିଏସ୍‌ଇ) ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିଲେ। ଆନ୍ଧ୍ରରୁ ଆସୁଥିବା ଏକ କଦଳୀ ବୋଝେଇ ଟ୍ରକ୍‌ ମାଡ଼ି ଯିବାରୁ ଏହି ଦୁର୍ଘଟଣା ଘଟିଛି। ନୂଆପଲ୍ଲୀ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଓ ଟ୍ରକ୍‌କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ପରେ ପରିବାର ‌ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ସୂଚନାନୁସାରେ ତିନି ବନ୍ଧୁ ଏକ ସ୍କୁଟିରେ ବରମୁଣ୍ଡାରୁ ବାଣୀବିହାର ଦିଗରେ ଯାଉଥିଲେ। ସୌମ୍ୟ ସ୍କୁଟି(ଓଡି୨୫ଜି-୮୯୮୭) ଚଳାଉଥିବାବେଳେ ଚନ୍ଦ୍ରାଂଶୁ ଓ ଗିରିଜା ପଛରେ ବସିଥିଲେ। ସେମା‌ନେ ଓଭରବ୍ରିଜ୍ ଉପରେ ଫାୟାର୍ ଷ୍ଟେସନ୍ ଛକରେ ପହଞ୍ଚିଥିବାବେଳେ କୌଣସି କାରଣରୁ ସୌମ୍ୟ ଭାରସାମ୍ୟ ହରାଇଥିଲେ ଓ ସ୍କୁଟି ସହ ସମସ୍ତେ ରାସ୍ତା ଉପରେ ପଡ଼ି ଯାଇଥିଲେ। ଠିକ୍‌ ଏହି ସମୟରେ ପଛରୁ ଦ୍ରୁତବେଗରେ ଯାଉଥିବା ଏକ ଟ୍ରକ୍‌(ଏପି୧୬-ଟିଡବ୍ଲ୍ୟୁ-୩୨୬୮) ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଟ୍ରକ୍‌ଟି ଚନ୍ଦ୍ରାଂଶୁ ଓ ଗିରିଜାଙ୍କ ଉପରେ ପୂରା ମାଡ଼ି ପଳାଇଥିବାବେଳେ ସୌମ୍ୟ ଉକ୍ତ ଟ୍ରକ୍‌ ସହ କିଛି ଦୂର ଘୋଷାରି ହୋଇ ଯାଇଥିଲେ। ଟ୍ରକ୍‌ ଚାଳକ ବ୍ରେକ୍‌ ମାରିଲା ବେଳକୁ ସେ ପଛ ଚକରେ ଚାପି ହୋଇ ରହିଯାଇଥିଲେ। ତାଙ୍କ ଅଣ୍ଟା ପାଖରୁ ତଳକୁ ଦୁଇ ଗୋଡ଼ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ହିଁ ଚନ୍ଦ୍ରାଂଶୁ ଓ ଗିରିଜାଙ୍କ ମୃତ୍ୟୁ ଘଟିଥିବାବେଳେ ପୁଲିସ ଲୋକଙ୍କ ସହଯୋଗରେ ଟ୍ରକ୍‌ ଚକା ତଳୁ ସୌମ୍ୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ସେଠାରୁ ଫେରାର୍ ହୋଇ ପରେ ନୂଆପଲ୍ଲୀ ଥାନାରେ ଆତ୍ମସମର୍ପଣ କରିଥିଲା। ମୃତ ଚନ୍ଦ୍ରାଂଶୁ ହେଉଛନ୍ତି ‘ସମ୍ବାଦ’ର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ ସାମ୍ବାଦିକ ହିମାଂଶୁ ପତିମିଶ୍ରଙ୍କ ଏକ ମାତ୍ର ପୁଅ। ସେ ଜଣେ ମେଧାବୀ ଛାତ୍ର ଥିଲେ ଓ ଗତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଭଲ ମାର୍କ ରଖି ପାସ୍ କରିଥିଲେ। ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ବହୁ ଲୋକଙ୍କ ଭିଡ଼ ଜମିଥିଲା। ଏକ ଶୋକାକୁଳ ପରିବେଶରେ ମୃତଦେହଦ୍ବୟକୁ ବ୍ୟବଚ୍ଛେଦ କରାଯାଇଥିଲା। ଆହତ ସୌମ୍ୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର