ଫେଲ୍‌ ଭୟରେ ଆତ୍ମହତ୍ୟା କରିଥିବା ଛାତ୍ର ପାସ୍‌

ବ୍ରହ୍ମପୁର : ଯୁକ୍ତଦୁଇ ପରୀକ୍ଷାରେ ଫେଲ୍‌ ହୋଇଯିବା ଭୟରେ ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଗାୟତ୍ରୀନଗରରେ ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଥିଲେ। ଆଜି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆତ୍ମହତ୍ୟା କରିଥିବା ଛାତ୍ର ରାଜେଶ କୁମାର ପଣ୍ଡା(୧୯) ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଥିବା ଜଣାପଡ଼ିଛି। ପରୀକ୍ଷା ଫଳ ନବାହାରିବା ପୂର୍ବରୁ ରାଜେଶ ନିଜର ମାନସିକ ଭାରସାମ୍ୟ ହରାଇ ଜୀବନକୁ ହାରିଦେବା ଭଳି ଚରମ ପଦକ୍ଷେପ ଗ୍ରହଣ କରିବା ସମସ୍ତଙ୍କୁ ବ୍ୟଥିତ କରିଛି। ଅଜିତ କୁମାର ପଣ୍ଡା ପତ୍ନୀ ଓ ଦୁଇ ପୁଅକୁ ନେଇ ଗାୟିତ୍ରୀବିହାରରେ ରହୁଛନ୍ତି। ବଡ଼ ପୁଅ ରାଜେଶ ଏକ ଘରୋଇ କଲେଜରେ ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ପଢ଼ୁଥିଲେ। ପରିବାର ବର୍ଗଙ୍କ ଅନୁପସ୍ଥିତିରେ ଗତ ୧୭ତାରିଖ ଦିନ ସେ ଘରେ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ବାପା ଅଜିତ ପୁଲିସ ଆଗରେ କହିଥିଲେ ଯେ ରାଜେଶ ପୂର୍ବରୁ ଦୁଇଥର ଯୁକ୍ତଦୁଇ ଶ୍ରେଣୀରେ ଫେଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର