ଭୁବନେଶ୍ୱର,: ମାଟ୍ରିକ୍ ପରେ ଏବେ ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ। ଅଧ୍ୟାପକମାନେ ଖାତା ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ସରକାର ମଧ୍ୟ ନିଜ ଜିଦିରେ ଅଡ଼ି ବସିଛନ୍ତିି। ଗୋଟିଏ ମାତ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ଆନ୍ଦୋଳନରତ ଅଧ୍ୟାପକଙ୍କୁ ଛାଡ଼ି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବେ ହରଡ଼ଘଣାରେ ପଡ଼ିଛି। ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନ ଥିବାରୁ ଦୁଇ ଦିନ ହେଲା ଖାତା ଦେଖା ସ୍ୱାଭାବିକ ହୋଇପାରୁନି। ଯେଉଁଥି ପାଇଁ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ ସୂତା ଖିଅରେ ଝୁଲୁଛି। ନିର୍ଧାରିତ ସମୟରେ ଖାତା ମୂଲ୍ୟାୟନ ଶେଷ ଓ ପରୀକ୍ଷା ଫଳ ପ୍ରକାଶ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ମୂଲ୍ୟାୟନ କରିବାକୁ ଚିହ୍ନଟ ହୋଇଥିବା ଅଧ୍ୟାପକଙ୍କୁ ନାଲିଆଖି ଦେଖାଇଛି ବିଭାଗ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖାତା ମୂଲ୍ୟାୟନ ଠିକ୍ ଭାବେ ହେଉ ନ ଥିବାରୁ କଡ଼ା ଅଭିମୁଖ୍ୟ ଗ୍ର୍ରହଣ କରିବାକୁ ଯାଉଛି ଗଣଶିକ୍ଷା ବିଭାଗ। ଶୁକ୍ରବାରଠାରୁ ୫୬ଟି ମାନୁଆଲ ଓ ୨୯ଟି ଇ-ମୂଲ୍ୟାୟନ କେନ୍ଦ୍ରର ସୁପରଭାଇଜର୍ଙ୍କୁ ରିପୋର୍ଟ ମଗାଯିବ। ମୂଲ୍ୟାୟନ ଲାଗି ଡକାଯାଇଥିବା ଅଧ୍ୟାପକଙ୍କ ମଧ୍ୟରେ କେଉଁମାନେ ଖାତା ଦେଖାରେ ସାମିଲ ହୋଇ ନାହାନ୍ତି ସେମାନଙ୍କ ତାଲିକା ପ୍ରତିଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଯେଉଁ ଅଧ୍ୟାପକମାନେ ଖାତାଦେଖାରେ ସାମିଲ ହେଉ ନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ ଆଜି ବି ଖାତା ମୂଲ୍ୟାୟନ ପ୍ରଭାବିତ ହୋଇଛି। ମାତ୍ର ୪୭ ପ୍ରତିଶତ ଅଧ୍ୟାପକ ଖାତା ଦେଖାରେ ସାମିଲ ହୋଇଛନ୍ତି। ୧୨ଟି ସ୍ଥାନରେ ମୂଲ୍ୟାୟନକାରୀଙ୍କ ସଂଖ୍ୟା ଏକ ଅଙ୍କ ବି ଟପିପାରି ନାହିଁ। ବାଲେଶ୍ୱର ଜିଲ୍ଲାରେ ଅଧିକ ମୂଲ୍ୟାୟନକାରୀ ସାମିଲ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ କିନ୍ତୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। କେଉଁଠି ୬ ଜଣ ତ ଆଉ କେଉଁଠି ୩ ଜଣ ଅଧ୍ୟାପକ ଖାତା ଦେଖୁଛନ୍ତି। କଟକ, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ପରି ଜିଲ୍ଲାର ମୂଲ୍ୟାୟନ କେନ୍ଦ୍ରରେ ୪୦ରୁ ୫୦ ପ୍ରତିଶତ ଅଧ୍ୟାପକ ସାମିଲ ହୋଇଛନ୍ତି। ଯୁକ୍ତ୩ ଅଧ୍ୟାପକମାନେ ଖାତା ଦେଖାରେ ସାମିଲ ହେଉ ନାହାନ୍ତି। ଅନ୍ୟପକ୍ଷରେ ଆଜି ମଧ୍ୟ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଜାରି ରହିଥିବା ନେଇ ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ପ୍ରକାଶ ଚନ୍ଦ୍ର ମହାନ୍ତି ଓ ଗୋଲକ ନାୟକ କହିଛନ୍ତି।
ସୂତାଖିଅରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ
ସ୍ୱାଭାବିକ ହୋଇପାରୁନି ଯୁକ୍ତ୨ ଖାତାଦେଖା
/sambad/media/post_attachments/wp-content/uploads/2018/03/exam-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)