ମଥୁରାରୁ ମିଳିଲେ ଦୁଇ ଦୃଷ୍ଟିହୀନ ଛାତ୍ରୀ, ଯୁବତୀଙ୍କୁ ଆଣିବାକୁ ଗଲା କମିସନରେଟ ପୁଲିସ

ଭୁବନେଶ୍ୱର: ଶେଷରେ ଦୁଇ ଦିନର କସରତ ପରେ ଉତ୍ତରପ୍ରଦେଶ ମଥୁରାରୁ ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କୁ ଠାବ କରିଛି ପୁଲିସ | ମଥୁରା ଷ୍ଟେସନରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ରେଲୱେ ପୁଲିସ ଦୁଇ ଜଣଙ୍କୁ ହେପାଜତରେ ରଖିଛି | ଏବେ ଏହି ଦୁଇ ଛାତ୍ରୀଙ୍କୁ ଆଣିବାକୁ ଉତ୍ତରପ୍ରଦେଶର ମଥୁରାକୁ କମିସନରେଟ ପୁଲିସର ଏକ ଟିମ ଯିବ | ମିଳିଥିବା ସୂଚନା ମୁତାବକ ସୋମବାର ଦିନ ଭୁବନେଶ୍ବର ଉପକଣ୍ଠ ଏକ ଗାଁର ଛାତ୍ରୀ ନିଜ ଘରୁ ବିଶ୍ବବିଦ୍ୟାଳୟକୁ ଆସିଥିଲେ। କ୍ଲାସ ଶେଷ ହେବା ପରେ ସେ ଅପରାହ୍ନରେ ଘରକୁ ଫେରନ୍ତି। ହେଲେ ଆଉ ଘରକୁ ଫେରି ନ ଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ତାଙ୍କ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେମାନେ କେହି କିଛି କହିପାରି ନ ଥିଲେ।

ଝିଅକୁ ନପାଇବାରୁ ବାପା ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସେହିପରି ହଷ୍ଟେଲ୍‌ରେ ରହୁଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ରୁମକୁ ଆଉ ଫେରି ନ ଥିଲେ। ସେ ହଷ୍ଟେଲ୍‌କୁ ନ ଫେରିବାରୁ କର୍ତ୍ତୃପକ୍ଷ ତାଙ୍କ ସ୍ଥାନୀୟ ଅଭିଭାବକଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଛାତ୍ରୀ ଘରକୁ ଆସି ନ ଥିବା ସମ୍ପର୍କୀୟ କହିଥିଲେ। ଯେତେ ‌ଖୋଜାଖୋଜି କରିଥିଲେ ବି ତାଙ୍କ ବିଷୟରେ କିଛି ତଥ୍ୟ ମିଳିନଥିଲା।

ଭାଣିଜୀ ନିଖୋଜ ଥିବାରୁ ମାମୁଁ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ ତାଙ୍କ ହଷ୍ଟେଲ୍‌ ରୁମ୍‌ରୁ ୩ ଫର୍ଦ୍ଦ ଲେଖାଥିବା ଚିଠିକୁ ଜବତ କରିଥିଲା। ସେହିପରି ଅନ୍ୟ ଜଣେ ଛାତ୍ରୀଙ୍କ ଘରୁ ଏକ ରେକର୍ଡିଂ ଚିପ୍‌ ପାଇଥିଲା। ଏହା ପରେ ପୁଲିସ ଦୁଇ ଛାତ୍ରୀଙ୍କ ଫଟୋ ସବୁଆଡେ ପଠାଇଥିଲା ଓ ଶେଷରେ ଦୁଇ ଛାତ୍ରୀଙ୍କୁ ମଥୁରାରୁ ଉଦ୍ଧାର କରାଯାଇଛି |

ସମ୍ବନ୍ଧିତ ଖବର