ବାଲେଶ୍ବର : ପରୀକ୍ଷାରେ ପାସ୍ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଜଣେ ଯୁବକ ବିଭିନ୍ନ ଜିଲ୍ଲାର ଶହଶହ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛି। ଠକାମିର ଶିକାର ହୋଇଥିବା କିଛି ଛାତ୍ରଛାତ୍ରୀ ଆଜି ଉକ୍ତ ଦଲାଲକୁ ଧରି ପୁଲିସ୍ ଜିମା ଦେଇଛନ୍ତି। ବାଲେଶ୍ବର ଶିଳ୍ପାଞ୍ଚଳ ଥାନାରେ ସମ୍ପୃକ୍ତ ଦଲାଲ ଅଟକ ଥିବାବେଳେ ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ଚଳିତମାସ ପହିଲାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବାଲେଶ୍ବର ସଦର ଥାନା ଖାନନଗର ଅଞ୍ଚଳର ଜଣେ ଯୁବକ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ସମେତ ବିଭିନ୍ନ ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରିଥିଲା। ଖାତାରେ ମାର୍କ ବଢ଼ାଇ ଦେବାକୁ ପ୍ରତିଶ୍ରୁତି ଦେଇ କାହା ପାଖରୁ ୧୦୦୦ ତ କାହା ପାଖରୁ ୫୦୦୦, ଏମିତିକି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଥିଲା। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବା ପାଇଁ ନିଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ କର୍ମଚାରୀ ଭାବେ ମଧ୍ୟ ପରିଚୟ ଦେଇଛି ଏହି ଠକ ଯୁବକ। ଘଟଣାକ୍ରମରେ ଆଜି ସମ୍ପୃକ୍ତ ଯୁବକ କେତେକ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ବାଲେଶ୍ବର ପୁଲିସ ଲାଇନ୍ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟକୁ ଡାକିଥିଲା। ତେବେ କୌଣସି ସୂତ୍ରରୁ ଛାତ୍ରଛାତ୍ରୀ ଓ ଅଭିଭାବକ ସମ୍ପୃକ୍ତ ଯୁବକଜଣକ ଜଣେ ଦଲାଲ ବୋଲି ଜାଣିପାରି ପୁଲିସକୁ ଖବର ଦେଇଥିଲେ। ଏସ୍ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୁଲିସ ପହଞ୍ଚି ଉକ୍ତ ଯୁବକକୁ ଧରିବା ସହ ଅଭିଯୋଗ ଆଣିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଥାନାକୁ ଡକାଇଥିଲେ। ପଚରାଉଚରା ପରେ ଦଲାଲଜଣକ ବିଭିନ୍ନ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ କରାଇ ଦେବାକୁ କହି ଲକ୍ଷଲକ୍ଷ ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି।