ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ ନୂଆଗଡ଼ ପଞ୍ଚାୟତ ପୁଷ୍ପନଗର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁଇ ନାବାଳିକା ଭଉଣୀଙ୍କ ଅଚାନକ ମୃତ୍ୟୁ ଆଜି ସାରା ଗଞ୍ଜାମ ଜିଲ୍ଲାକୁ ସ୍ତବ୍ଧ କରିଦେଇଛି । ମୃତକ ଭଉଣୀ ହେଲେ ସୁଧାଂଶୁ ପାତ୍ରଙ୍କ ବଡ଼ ଝିଅ ସ୍ନେହଲତା (୧୦) ଓ ସାନଝିଅ ସୁଜ୍ଞାନୀ (୬)। ଉଭୟଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇପାରିନି। ତେବେ ବିଷାକ୍ତ ଜନ୍ତୁ କାମୁଡ଼ାରେ ସେମାନଙ୍କ ମୃତ୍ୟୁ ହୋଇଥିବା ପରିବାରବର୍ଗ ଆଶଙ୍କା ପ୍ରକଟ କରିଛନ୍ତି। ତେବ‌େ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Advertisment

ସୁଧାଂଶୁ ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ତିନିଝିଅ ସ୍ନେହଲତା, ଶିବାନୀ ଓ ସୁଜ୍ଞାନୀଙ୍କ ସହ ପୁଷ୍ପନଗର ଗ୍ରାମରେ ରହୁଥିଲେ। ଆର୍ଥିକ ସ୍ଥିତି ଭଲ ନଥିବାରୁ ସୁଧାଂଶୁ ସୁରତରେ କାମ କରୁଥିବା ବେଳେ ଗତ ମାର୍ଚ୍ଚ ୧୨ ତାରିଖରେ ଗାଁକୁ ଫେରିଥିଲେ। ଆଉ ଘର ସାମ୍ନାରେ ଗୋଟିଏ ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଗତକାଲି ରାତିରେ ସମସ୍ତେ କାକୁଡ଼ି ସହ ଗରମ ଭାତ ଓ ଡାଲି ଖାଇଥିଲେ। ଆଜି ପତ୍ନୀ ସନ୍ଧ୍ୟାରାଣୀ ସକାଳୁ ଉଠି ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ବଡ଼ ଝିଅ ସ୍ନେହଲତା ହଠାତ୍ ଶେଯରୁ ଉଠି ପଡ଼ି ଛାତି ଓ ଗଳାରେ ଅସହ୍ୟ ଯନ୍ତ୍ରଣା ହେଉଥିବା ବାପାଙ୍କୁ ଜଣାଇଥିଲା। ଏହାର କିଛି ସମୟ ପରେ ସାନ ଝିଅ ସୁଜ୍ଞାନୀ ବି ସମାନ ଅସୁବିଧା ଭୋଗୁଥିବା କହିଥିଲା। ଦୁଇ ଭଉଣୀ ନିଃଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ଭୋଗିବା ସହ ପାଟିରୁ ଫେଣ ବାହାରିଥିଲା। ସେମା‌ନଙ୍କୁ ବିଷାକ୍ତ ସାପ କାମୁଡ଼ିଥିବା ସ‌ନ୍ଦେହ କରି ବାପାମା ଦୁଇ ଝିଅଙ୍କୁ ଗୁରୁତର ଅବସ୍ଥାରେ ନିକଟରେ ରହୁଥିବା ଜଣେ ଜାନୀଙ୍କ ପାଖକୁ ପ୍ରଥମେ ଝଡ଼ାଫୁଙ୍କା ଓ ଘରୋଇ ଉପଚାର ପାଇଁ ନେଇଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ‌ହେବାରୁ ସ୍ନେହଲତା ଓ ସୁଜ୍ଞାନୀଙ୍କୁ ଆମ୍ବୁଲାନ୍ସ୍‌ରେ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଡାକ୍ତର ସେଠାରେ ଦୁଇ ଭଉଣୀଙ୍କ ମୃତ ଘୋଷଣା କରିଥିଲେ।

publive-image image source-sisat

ଦୁଇ ଝିଅଙ୍କ ମୃତ୍ୟୁ ଖବର ଶୁଣି ସୁଧାଂଶୁ ଓ ସନ୍ଧ୍ୟାରାଣୀ ପାଗଳ ପ୍ରାୟ ହୋଇଯାଇଥିଲେ। ସେମାନଙ୍କ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରି ନପାରି ବାହୁନି ବାହୁନି କାନ୍ଦିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। କାରଣ ଦୁଇ ଝିଅଙ୍କ ଆଗରୁ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିଲା। ମଝିଆ ଝିଅ ଶିବାନୀର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। କୌଣସି ବିଷାକ୍ତ ସାପ ବା ଜନ୍ତୁ କାମୁଡ଼ାରେ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ହେଉଛି ବୋଲି ସୁଧାଂଶୁ କହିଛନ୍ତି। ସୋରଡ଼ା ଥାନାରେ ଏ‌ସଂକ୍ରାନ୍ତରେ କେସ୍ ନମ୍ବର ୮/୨୦ ଅନୁସାରେ ଅପମୃତ୍ୟୁ ମାମଲା ରୁଜୁ ସହ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।