କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚାୟତ ପୋଖରୀଆପଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବିକଳାଙ୍ଗ ଶିଶୁକନ୍ୟାକୁ ଜନ୍ମ ଦେଇଥିବାରୁ ଶାଶୂଘର ଲୋକଙ୍କ ନିର୍ଯାତନା ଅସହ୍ୟ ହେଲା। ଏଭଳି ସ୍ଥିତିରେ ଜଣେ ମହିଳା ଦୁଇ ଶିଶୁକନ୍ୟାକୁ ପୋଖରୀକୁ ଫିଙ୍ଗି ନିଜେ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ସୂଚନା ଅନୁସାରେ, ଆଜି ଅପରାହ୍ଣ ୪ଟାରେ କୁଜଙ୍ଗ ଥାନା ପୋଖରୀଆପଡ଼ା ଗ୍ରାମର ଲମ୍ବୋଧର ପରିଡ଼ାଙ୍କ ପତ୍ନୀ ଝିଲି ପରିଡ଼ା(୩୫) ନିଜର ଦୁଇ ଶିଶୁକନ୍ୟା ମୋନାଲିସା(୪) ଓ ସମ୍ପୂର୍ଣ୍ଣା(୨)ଙ୍କୁ ଘର ନିକଟରେ ଥିବା ପୋଖରୀକୁ ଫିଙ୍ଗି ଦେଇଥିଲେ। ନିଜେ ପୋଖରୀ କଡ଼ରେ ଥିବା ଏକ ଗଛରେ ରଶି ଲଗାଇ ଝୁଲି ପଡ଼ିଥିଲେ। ଖବର ପାଇ ସ୍ଥାନୀୟ ଲୋକମାନେ ପୋଖରୀକୁ ଯାଇ ସେମାନଙ୍କୁ ଖୋଜାଖୋଜି କରିଥିଲେ। ପୋଖରୀରେ କଣ୍ଟା ପଡ଼ିଥିବା କାରଣରୁ ଖୋଜାଖୋଜିରେ ବିଳମ୍ବ ଘଟିଥିଲା। ଗ୍ରାମବାସୀ ସାନ ଝିଅ ସମ୍ପୂର୍ଣ୍ଣାକୁ ଉଦ୍ଧାର କରିଥିଲେ। ସେହିପରି ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ମା ଝିଲିକୁ ରଶିକାଟି ଉଦ୍ଧାର କରିବାକୁ ଉଦ୍ୟମ କରାଯିବା ବେଳେ ସେ ପୋଖରୀରେ ପଡ଼ି ଯାଇଥିଲେ। ମା ଓ ଝିଅଙ୍କୁ ତୁରନ୍ତ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା।
ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବଡ଼ ଝିଅ ମୋନାଲିସାର ଏପର୍ଯ୍ୟନ୍ତ କୌଣସି ଖୋଜଖବର ମିଳି ନଥିବା ଜଣାପଡ଼ିଛି। ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ କରାଯାଇ ନଥିବା ଜଣାପଡ଼ିଛି। ମୃତ ମହିଳା ଝିଲିର ଭାଉଜଙ୍କ ମୌଖିକ ଅଭିଯୋଗ ଅନୁଯାୟୀ ତାଙ୍କର ନଣନ୍ଦ ଦୁଇଟି ବିକଳାଙ୍ଗ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିବାରୁ ସ୍ବାମୀ ଲମ୍ବୋଧର, ସାବତ ଶାଶୂ ଓ ଶ୍ବଶୁର ସେମାନଙ୍କୁ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଆଜି ଦିନ ପ୍ରାୟ ୧୧ଟା ବେଳେ ମୃତ ଝିଲି ତାଙ୍କୁ ଫୋନ୍ କରି ନିର୍ଯାତନା ଦିଆଯାଉଥିବା କହିଥିଲେ।