୨ ବାଘଛୁଆ ଲବ ଓ କୁଶ ଅସୁସ୍ଥ

ବାରଙ୍ଗ : ମା’ ବାଘୁଣୀ ସ୍ନେହାର ୨ ଶିଶୁପୁତ୍ର ଅଚାନକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରାୟ ବର୍ଷକର ଏହି ଦୁଇ ଶିଶୁପୁତ୍ର ଲବ ଓ କୁଶଙ୍କ ଅସୁସ୍ଥତା ଏବେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ଉଭୟ ଲବ ଓ କୁଶ ଭଲଭାବେ ଚାଲି ପାରୁନଥିବାରୁ ସେମାନଙ୍କ ରୋଗକୁ ନେଇ ଅଧିକ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ। ଲବ ସାମାନ୍ୟ ଛୋଟାଉଥିବାବେଳେ କୁଶ ଘୁଷୁଡ଼ି ଘୁଷୁଡ଼ି ଚାଲୁଛି। ଚିନ୍ତାର ବିଷୟ ହେଲା, ସେମାନେ କି ପ୍ରକାର ସଂକ୍ରମଣର ଶିକାର ହୋଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

ବାଘ ଛୁଆ ଦୁଇଟି ମା’ ସ୍ନେହା ସହିତ ୨୦ ନମ୍ବର ଖୁଆଡ଼ରେ ରହୁଥିଲେ। ଗତ ୨୫ ତରିଖରେ ସେମାନଙ୍କୁ ବାଘ ସଫାରି ପାଖ ୩୨ ନମ୍ବର ଖୁଆଡ଼କୁ ସ୍ଥାନାନ୍ତର କରାଯାଇଥିଲା। ଗତ ୨୮ ତାରିଖରେ ହଠାତ୍ ଦୁଇ ଭାଇ ଅସୁସ୍ଥ ହୋଇ ପଡ଼ିଥିଲେ। ଉଭୟ ଛୋଟେଇ ଛେଟେଇ ଚାଲିଥିଲେ। କୁଶର ପଛଗୋଡ଼ ଦୁଇଟି ସଂପୂର୍ଣ୍ଣ ଅଚଳ ହୋଇଯିବାରୁ ସେ ଘୁଷୁଡ଼ି ଘୁଷୁଡ଼ି ଚାଲୁଥିଲା। କିନ୍ତୁ ଲବ ସାମାନ୍ୟ ଛୋଟେଇ ଚାଲିଥିଲା। ଚିକିତ୍ସକମାନେ ତୁରନ୍ତ ଦୁଇଜଣଙ୍କର ଚିକିତ୍ସା ଆରମ୍ଭ କରିଥିଲେ। କୁଶକୁ ନିଶ୍ଚେତକ ଦେଇ ମା’ ଠାରୁ ଅଲଗା କରି ପ୍ରାଣୀ ଚିକିତ୍ସାକେନ୍ଦ୍ରର ପୃଥକୀକରଣ (ଆଇସୋଲେସନ) କକ୍ଷକୁ ଅଣାଯାଇଥିଲା। ଲବ ସାମାନ୍ୟ ସୁସ୍ଥ ଥିବା ଜଣାପଡ଼ିଛି। ସେମାନଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି। କୁଶର ଅସ୍ଥିରେ କୌଣସି ଫ୍ରାକ୍‌ଚର ନାହିଁ ବୋଲି ଏକ୍ସ-ରେ ରିପୋର୍ଟରୁ ଜଣାପଡ଼ିଛି। ତେଣୁ ତାକୁ କ୍ୟାଲ୍‌ସିୟମ ଦିଆଯାଉଛି। ରକ୍ତ ପରୀକ୍ଷା ରିପୋର୍ଟ ମିଳିବା ପରେ ଆବଶ୍ୟକ ଚିକିତ୍ସା କରାଯିବ ବୋଲି ଡାକ୍ତର ଆଲୋକ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର