ଦଶପଲ୍ଲା: ଦଶପଲ୍ଲାର କୁଆଁରିଆଠାରେ ବାଘଛାଲ ବିକ୍ରୟ ପାଇଁ ଗତକାଲି ମୂଲଚାଲ ଚାଲିଥିବା ସମୟରେ ଏସ୍‌ଟିଏଫ୍ ଚଢ଼ଉ କରି ଜଣକୁ ଗିରଫ କରିଛି। ଅଭିଯୁକ୍ତ ନିକଟରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ବାଣିଗୋଛା ଥାନା ବାଲିବେରେଣା ଗ୍ରାମର ଖଗେଶ୍ବର ମଲିକଙ୍କ ପୁଅ ବୈଦ୍ୟରାଜ ମଲିକ(୪୦)।

Advertisment

ସୂଚନା ଅନୁଯାୟୀ, ଅଭିଯୁକ୍ତ ବୈଦ୍ୟରାଜ ୨ଟି କଲରାପତରିଆ ବାଘ ଛାଲ ବିକ୍ରି କରିବା ପାଇଁ କୁଆଁରିଆଠାରେ ମୂଲଚାଲ କରୁଥିବା ବେଳେ ଏସ୍‌ଟିଏଫ୍ ତାକୁ କାବୁ କରି ନେଇଥିଲା। ଗିରଫ ପରେ କେସ୍‌ ନମ୍ବର ୨୮ରେ ଅଭିଯୁକ୍ତ ବୈଦ୍ୟରାଜକୁ ଦଶପଲ୍ଲା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ( ଜେଏମ୍‌ଏଫ୍‌ସି କୋର୍ଟ)ରେ ହାଜର କରାଯାଇଛି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ବୈଦ୍ୟରାଜ ଗ୍ରାମରେ କାମଧନ୍ଦା କରି ପରିବାର ଚଳାଏ। ଶିକାର କାର୍ଯ୍ୟରେ ସେ ଲିପ୍ତ ନଥିବା ବେଳେ କେହି ଟଙ୍କା ଲୋଭ ଦେଖାଇ ବାଘଛାଲ ଚାଲାଣ କରିବା ପାଇଁ ତାଙ୍କୁ ବ୍ୟବହାର କରଛନ୍ତି। ତେଣୁ ଗ୍ରାମବାସୀ ଘଟଣାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି। ଅନ୍ୟପକ୍ଷରେ ଚଡ଼େୟାପଲ୍ଲୀ ଅଞ୍ଚଳରୁ ଶିକାରୀ ଗିରଫ ହେବା ନୂଆ ଘଟଣା ନୁହେଁ। ଗତବର୍ଷ ଅଗଷ୍ଟ ୪ ତାରିଖ ଦିନ କନ୍ଧମାଳ ଜିଲ୍ଲା ଚକାପାଦସ୍ଥିତ ବ୍ରାହ୍ମଣପାଦ ଗ୍ରାମର ଜଣେ ପରିବା ବ୍ୟବସାୟୀଙ୍କଠାରୁ ଏସ୍‌ଟିଏଫ୍ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଥିଲା। ଏହି ଘଟଣାରେ ବନବିଭାଗ ଚଡ଼େୟାପଲ୍ଲୀସ୍ଥିତ ମୁଜରାବାଡ଼ି ଗ୍ରାମର ଦୁଇଭାଇ ରବିନାରାୟଣ କହଁର ଓ ସୁକୁମାର କହଁରଙ୍କୁ ଗିରଫ କରିଥିଲା।

ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଧନୁତୀର ଓ ଫାଶ ଆଦି ଜବତ କରାଯାଇଥିଲା। ଅନୁରୂପ ଭାବେ ଗତବର୍ଷ ନଭେମ୍ବର ୫ ତାରିଖରେ ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ସମୟରେ ଏସ୍‌ଟିଏଫ୍‌ ଚଢ଼ଉ କରି ଭୋଗବାଡ଼ି ଗ୍ରାମର ଭାଗବତ ମାଝି ଓରଫ୍‌ ରମେଶ ନିକଟରୁ ୨ଟି କଲରାପତରିଆ ବାଘଛାଲ ଜବତ କରିବା ସହ ତାକୁ ଗିରଫ କରିଥିଲା। ସେହିଭଳି ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ବାଣିଗୋଛା(ପଶ୍ଚିମ) ବନାଞ୍ଚଳ ପକ୍ଷରୁ ବୌଦ୍ଧ ଜିଲ୍ଲା ତଲଗାଁ ଗ୍ରାମରୁ ବାଲେଶ୍ବର ଚାଲାଣ ହେଉଥିବା ବଜ୍ରକାପ୍ତା କାତି, ବାଘନଖ ଓ ହରିଣ ଛାଲ ଆଦି ଦଶପଲ୍ଲାରୁ ଜବତ କରାଯିବା ସହ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ବଡ଼କଥା ହେଉଛି ଏସ୍‌ଟିଏଫ୍ ପକ୍ଷରୁ ପ୍ରତିବର୍ଷ ଦଶପଲ୍ଲା ଅଞ୍ଚଳରୁ ବାରମ୍ବାର ବାଘଛାଲ ଜବତ ହେବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସତ୍ତ୍ବେ ଅଞ୍ଚଳରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି।