ଭୁବନେଶ୍ବର: ଆଗାମୀ ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହ ଗତକାଲି ରାତିରେ ଚଳିତ ବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୧୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଅଧିକାଂଶ ସହରର ପାରଦ ୨୦ ଡିଗ୍ରି ତଳକୁ ଖସି ଆସିଛି।ରାଉରକେଲାରେ ୧୩.୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ଓ ଅନୁଗୁଳରେ ୧୪.୬, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୫, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୫.୪, କେନ୍ଦୁଝରରେ ୧୫.୫, କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୫.୬, ଭଦ୍ରକରେ ୧୬, ଭବାନୀପାଟଣାରେ ୧୬.୮, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୧୭, ସମ୍ବଲପୁର ଓ କୋରାପୁଟରେ ୧୭.୨ ଡିଗ୍ରି ଲେଖାଏଁ ରହିଥିଲା।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା କେତେକ ସ୍ଥାନରେ ସାମାନ୍ୟ କମିପାରେ। ଆସନ୍ତା ୧୭ରୁ ୧୯ ତାରିଖ ମଧ୍ୟରେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧.୫ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ୧୮ରୁ ୨୦ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧ରୁ ୨ ଡିଗ୍ରି କମିବା ସହ ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୧ ଡିଗ୍ରି କମିବ। ୧୯ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପଶ୍ଚିମ ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୧ ଓ ୨୨ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ତାମିଲନାଡ଼ୁ ଓ ସଂଲଗ୍ନ ଉପକୂଳ ଆଡ଼କୁ ମୁହାଁଇବ ଏବଂ ଘନୀଭୂତ ହେବାର ସମ୍ଭାବନା ରହିଛି। ଫଳରେ ୨୪ ତାରିଖଠାରୁ ଓଡ଼ିଶାରେ ପାଗ ମେଘୁଆ ରହିବ। ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି କିମ୍ବା ଗଭୀର ଶିଶିରପାତ ହେବାର ସମ୍ଭାବନା ନାହିଁ ବୋଲି ସେ ପୂର୍ବାନୁମାନ କରିଛନ୍ତି।