ବିଳମ୍ବିତ ରାତିରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଅଢ଼େଇ ଘଣ୍ଟା ପରିଶ୍ରମ କରି ମରଣମୁହଁରୁ ବଞ୍ଚାଇଲେ

ବାଲେଶ୍ବର: ୬୦ ନମ୍ବର ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଉଭୟ ଗାଡ଼ିର ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ଓ ପୁଲିସ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ଜଣାଯାଇଥିଲା। ତେବେ ସେମାନଙ୍କ ପରିଚୟ ମିଳିପାରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୨ଟାରେ ଏହି ଦୁର୍ଘଟଣା ୬୦ ନମ୍ବର ଜାତୀୟ ରାଜପଥର ନୂଆଗାଁଛକ ନିକଟରେ ହୋଇଥିଲା। ରେମୁଣା ଗୋଲେଇ ଆଡ଼ୁ ଫୁଲାଡ଼ି ଅଭିମୁଖେ ଯାଉଥିବା ଏକ ଟ୍ରକ ନୂଆଗାଁଛକ ନିକଟରେ ଏକ ସ୍କୋର୍ପିଓ ଗାଡ଼ିକୁ ଧକ୍କା ଦେଇ ସେପଟେ ଜଳେଶ୍ବର ପଟୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା‌।

ସ୍କୋର୍ପିଓଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ସେଥିରେ କେହି ନଥିବା ପୁଲିସ ପକ୍ଷରୁ ଜଣାଯାଇଛି। ସେହିପରି ଦୁର୍ଘଟଣା ଦୁଇ ଟ୍ରକର କ୍ୟାବିନ୍‌ ନଷ୍ଟ ହୋଇ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିବା ବେଳେ ଶିଳ୍ପାଞ୍ଚଳ ଥାନା ପୁଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଜଣେ ଡ୍ରାଇଭର ଗାଡ଼ି ଷ୍ଟିଓରିଂ ଭିତରେ ଚାପି ହୋଇଯାଇଥିବାରୁ ଅଗ୍ନିଶମ ବାହିନୀ ପହଞ୍ଚି ହାଇଡ୍ରୋଲିକ କମ୍ବି ଟୁଲ୍‌ରେ କାଟି ତାଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ଅଢ଼େଇଘଣ୍ଟା କାଳ ଅପ‌େରସନ୍‌ ପରେ ଡ୍ରାଇଭର ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ୫ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଅଟକି ରହିଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର