ବ୍ରଜରାଜନଗର: ରେଙ୍ଗାଲି ଥାନା ଅନ୍ତର୍ଗତ ଅମା ବ୍ରିଜ୍‌ ନିକଟରୁ ୬ ଲକ୍ଷ ଟଙ୍କା ପାଇପ୍‌ ଲଟ୍‌ ଘଟଣାରେ ପୁଲିସକୁ ମିଳିଛି ସଫଳତା। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିବା ସହିତ ପାଇପ୍‌ ବୋଝଇ ହୋଇଥିବା ୨ଟି ୧୨ ଚକିଆ ଟ୍ରକ୍‌ ଜବତ କରାଯାଇଛି। ଏହି ଟ୍ରକ୍‌ ଦୁଇଟିକୁ ଧୁଲୁଣ୍ଡା ଝଙ୍ଗଲରେ ଲୁଚାଇ ରଖାଯାଇଥିଲା। ଟ୍ରକ୍‌ରେ ଲାଗିଥିବା ନମ୍ବର ଜାଲ୍‌ ବୋଳି ମଧ୍ୟ ଜଣାପଡ଼ିଛି। ମଙ୍ଗଳବାର ଝାରସୁଗୁଡ଼ାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସ୍‌ପି ବିକାଶ ଦାଶ କହିଛନ୍ତି, ୨୬ ତାରିଖ ରାତିରେ ୯ଟି ପାଇପ ଚୋରି ହୋଇଥିଲା।

Advertisment

ଠିକ ସେହିଦିନ ରାତିରେ ଅମାପାଲି ବ୍ରିଜ୍‌ ନିକଟରେ ରହିଥିବା ଏଲ୍‌ଆଣ୍ଡଟି କମ୍ପାନିର ୬୦ଟି ପାଇପ୍‌ ମଧ୍ୟ ୨ଟି ୧୨ ଚକିଆ ଟ୍ରକ୍‌ରେ ଭର୍ତ୍ତି କରି ନେଇଯାଇଥିଲେ। ରେଙ୍ଗାଲି ଥାନାରେ ଏ ନେଇ କେସ୍‌ ନମ୍ବର ୩୪ ଓ ଧାରା ୩୭୯ ଓ କେସ୍‌ ନମ୍ବର ୩୫ ଧାରା ୩୯୫ରେ ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ କରି ପୁଲିସ ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା ସହିତ ଟ୍ରକ୍‌ (ଓଡି-୨୩ବି-୬୪୬୬) ଓ (ଓଡ଼ି-୨୩ବି-୨୩୫୬) ସହିତ ଗୋଟିଏ ବାଇକ୍‌ (ସିଜି-୭ବିବି-୨୨୧୬), ୩ଟି ମୋବାଇଲ, ଚୋରି ହୋଇଥିବା ୬୯ ଟି ପାଇପ୍‌ ଜବତ କରାଯାଇଥିବା ଏସପି ଶ୍ରୀ ଦାଶ ପ୍ରକାଶ କିରଛନ୍ତି। ଏହି ଘଟଣାରେ ଛତିଶଗଡ଼ ରାଜନନ୍ଦଗାଓଁର ବିନୋଦ ରାଜ ଚୌହାନ (୪୬), ସୁନ୍ଦରଗଡ଼ ସୋଲାର ପ୍ରତାପ ସିଂ (୨୫),  ଛତିଶଗଡ଼ର ସଞ୍ଜୟ ଗଣ୍ଡ (୨୦), ସମ୍ବଲପୁର ନିକ୍ତିମାଲର ସୁରେନ୍ଦ୍ର ନାୟକ (୪୭), ସମ୍ବଲପୁର ନିକ୍ତିମାଲର କୈଳାସ ଖଣ୍ଡା (୨୦), ସମ୍ବଲପୁର ନିକ୍ତିମାଲର ଅମୁଶ ମୁଣ୍ଡା (୩୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ଵର ଭୋଇ ଉପସ୍ଥିତ ଥିଲେ। ୨୬ ତାରିଖ ରାତିରେ ପାଇପ୍‌ ଚୋରି ଘଟଣାରେ ପ୍ରତାପ ସିଂଙ୍କୁ ପଚରାଯିବାରୁ ଅଭିଯୁକ୍ତମାନେ କୁତ୍ରା, ବାରଗାଁ, ରାଜଗାଙ୍ଗପୁର, ରେଙ୍ଗାଲି ଆଦି ଥାନା ଅଞ୍ଚଳରୁ ୨ଟି ୧୨ ଚକିଆ ଟ୍ରକ୍‌ ଦ୍ବାରା ପାଇପ୍‌ ଚୋରି କରି ସେଗୁଡିକୁ ରାୟଗଡ଼ାରେ ଥିବା ଏକ ଫ୍ୟାକ୍ଟ୍ରିକୁ ରାୟପୁରର ଅଜୟ ଅଗ୍ରୱାଲଙ୍କ ମାଧ୍ୟମରେ ପଠାଇଥାନ୍ତି ବୋଲି କହିଥିଲେ। ଏସପିଙ୍କ ନିର୍ଦେଶକ୍ରମେ ବ୍ରଜରାଜନଗର ଏସଡିପିଓ ଶ୍ରୀ ଭୋଇଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ ହୋଇଥିଲା। ଟିମ୍‌ରେ ବ୍ରଜରାଜନଗର ଡିଏସ୍‌ପି ବୈକୁଣ୍ଠ ସେଠ, ରେଙ୍ଗାଲି ଏସ୍‌ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ, କଣ୍ଡେଇକେଲା ଫାଣ୍ଡି ଅଧିକାରୀ ସୁଶାନ୍ତ କିଷାନ, ରେଙ୍ଗାଲି ଥାନା ଅଧିକାରୀ କେ. ସମାରିଆ ସାମିଲ ଥିଲେ।