ସମୁଦ୍ରରେ ଉତ୍ତରପ୍ରଦେଶର ଦୁଇ ଯୁବକ ନିଖୋଜ, ସେନା ବାହିନୀରେ ନିଯୁକ୍ତି ପରୀକ୍ଷା ଦେବାକୁ ଆସିଥିଲେ

ପୁରୀ: ସ୍ଥଳ ବାହିନୀରେ ନିଯୁକ୍ତି ପାଇଁ ଭୁବନେଶ୍ବରରେ ଆୟୋଜିତ ପରୀକ୍ଷା ଦେବାକୁ ଆସିଥିଲେ। ହୁଏତ ଆଉ କିଛି ଦିନ ପରେ ସ୍ଥଳବାହିନୀରେ ଚାକିରି କରିଥା’ନ୍ତେ। ମାତ୍ର ସାଙ୍ଗମାନଙ୍କ ସହିତ ପୁରୀକୁ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ଦୁଇ ସାଙ୍ଗ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗର ଲାଇଫଗାର୍ଡମାନେ ଦୁଇ ସାଙ୍ଗକୁ ଖୋଜାଖୋଜି କରୁଥିଲେ ମଧ୍ୟ ସେମାନଙ୍କୁ ପାଇନାହାନ୍ତି। ଏଭଳି ଏକ ଘଟଣା ପୁରୀ ବେଳାଭୂମିରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ସାଙ୍ଗ ହୋଇ ଆସିଥିବା ପ୍ରାୟ ୩୦ ଜଣ ଯୁବକ ଏବେ କ’ଣ କରିବେ ‌ଚିନ୍ତା କରି ନପାରି କାନ୍ଦବୋବାଳି କରୁଛନ୍ତି।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଉତ୍ତରପ୍ରଦେଶ ଖେରାଗଡ଼ ଚିତ୍ ଅଞ୍ଚଳର ଅନିଲ ଶିଖରୱାଲା(୨୧) ଓ ଆଗ୍ରା ସଉନ ଅଞ୍ଚଳର ବିଜୟ ପାଲ(୨୧)ଙ୍କ ସହିତ ପ୍ରାୟ ୩୦ ଜଣ ଯୁବକ ଆଜି ଭୁବନେଶ୍ବରରେ ଆୟୋଜିତ ଏକ ପରୀକ୍ଷା ଦେବାକୁ ଆସିଥିଲେ। ସ୍ଥଳବାହିନୀରେ ଚାକିରୀ କରିବା ପାଇଁ ସେମାନେ ପରୀକ୍ଷା ଦେବା ପରେ ସମୟ ମିଳିବାରୁ ପୁରୀକୁ ବୁଲିବାକୁ ଚାଲି ଆସିଥିଲେ। ଏଠାରେ ସମୁଦ୍ରକୂଳକୁ ଯାଇ ଶକୁନ୍ତଳା ହୋଟେଲ ସମ୍ମୁଖ ବେଳାଭୂମିରେ ବ୍ୟାଗ ଆଦି ରଖି ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅନିଲ ସମୁଦ୍ର ସ୍ରୋତରେ ଭାସିଯାଉଥିବା ବେଳେ ତାଙ୍କୁ ବିଜୟ ବଞ୍ଚାଇବାକୁ ଯାଇଥିଲେ। ମାତ୍ର ଉଭୟ ହାତ ଧରାଧରି ହୋଇ ପାଣିରେ ବୁଡ଼ିଯାଇଥିଲେ। ନିକଟରେ ଥିବା ଅନ୍ୟ ସାଥୀମାନେ ଚିତ୍କାର କରିବାରୁ ସେଠାରେ ଥିବା ଲାଇଫଗାର୍ଡମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ସମୁଦ୍ର ଗର୍ଭକୁ ଡେଇଁଥିଲେ। ମାତ୍ର ସେମାନେ ଅନିଲ ଓ ବିଜୟ ପାଖରେ ପହଞ୍ଚିବା ବେଳକୁ ସେମାନେ ପାଣିରେ ନିଖୋଜ ହୋଇଯାଇଥିଲେ। କୌଣସି ପ୍ରକାରେ ସେମାନେ ଅନିଲ ଓ ବିଜୟଙ୍କ ଠାବ କରିପାରିନଥିଲେ। ଅନ୍ୟପଟେ ସାଥୀରେ ଆସିଥିବା ସାଙ୍ଗମାନେ ଏ ନେଇ ସମୁଦ୍ରକୂଳ ଥାନାରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର