ଧର୍ମଶାଳା: ଧର୍ମଶାଳା ଥାନା ଆରୁହା ପଞ୍ଚାୟତ ଜାବରାତଳି ଛକ ନିକଟ ୫୩ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ଣରେ ଏକ ହାଇୱା ଧକ୍କାରେ ଗୋଟିଏ ବିସ୍କୁଟ ବୋଝେଇ ଗାଡ଼ି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ବିସ୍କୁଟ ଗାଡ଼ି ଚାଳକ ଭଦ୍ରକ ଜିଲ୍ଲା ଜାନୁଗଞ୍ଜ ଅଞ୍ଚଳର ତପନ କୁମାର ଜେନା(୩୯)ଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ଚଣ୍ତିଖୋଲ ପଟୁ ଏକ ବିସ୍କୁଟ୍ ବୋଝେଇ ମିନିଟ୍ରକ୍(ଓଡି-୨୨ଟି-୮୬୬୨) ଡୁବୁରି ଯାଉଥିବା ବେଳେ ଜାବରାତଳି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ହାଇୱା(ଓଡି-୧୬ସି-୨୮୨୯) ସହିତ ଧକ୍କା ହୋଇଥିଲା।
ଭାରସାମ୍ୟ ହରାଇ ବିସ୍କୁଟ ଗାଡ଼ି ଓଲଟି ପଡ଼ିଥିଲା। ଚାଳକ ଗୁରୁତର ଆହତ ହୋଇଥିଲେ। ଚଣ୍ତିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଚାଳକଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ହାଇୱାକୁ ଢେ଼ଲାପଥର ଫିଙ୍ଗି ସାମ୍ନା କାଚ ଭାଙ୍ଗି ଦେଇଥିଲେ। ଦୁର୍ଘଟଣାରେ ବିସ୍କୁଟ୍ ପେଟି ଖୋଲିଯିବାରୁ କିଛିଲୋକ ବିସ୍କୁଟ୍ ଚୋରି କରିନେଇଥିଲେ। ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/9-6.jpg)