ଖୋର୍ଦ୍ଧା: ଖୋର୍ଦ୍ଧା ସହର ଓ ଆଖପାଖ ଅଂଚଳରେ ଚାଲୁଥିବା ଏକ ବଡ଼ ମୋଟରସାଇକଲ ଚୋର ରାକେଟ୍ର ଏକ ଅଡ଼ୁଆ ଗଣ୍ଠିକୁ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଫିଟାଇବାରେ ସକ୍ଷମ ହୋଇଛି । ଜରିପୁଟର ଜଣଙ୍କ ଘରୁ ଚୋରା ମୋଟର ସାଇକଲ, ସ୍କୁଟି ସହ ହାତବୋମା ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
କିଛି ଦିନ ପୂର୍ବେ ପୁଲିସ ଏକ ମୋଟରସାଇକଲ ଚୋର ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଗିରଫ କରିଥିଲା । ପଚରାଉଚୁରାରେ ଅନେକ ତଥ୍ୟ ପଦାରେ ପଡ଼ିଥିଲା । ପ୍ରଥମରୁ ପୁଲିସ ଏହି ରାକେଟ୍ ପଛରେ କିଛି ପ୍ରଭାବଶାଳୀ ଲୋକ ସହାୟତା ଦେଉଥିବା ସନେ୍ଦହ କରୁଥିଲା । ଏହି ସମୟରେ ଖୋର୍ଦ୍ଧାରେ ନକଲି ନମ୍ବର ଲଗାଇ କେତେକ ମୋଟରସାଇକଲ ଓ ସ୍କୁଟି ଆଦି ଧରାପଡ଼ିବା ପରେ ପୁଲିସ ଏହାର ଗୁମର ଖୋଲିବାକୁ ଚେଷ୍ଟା କରିଥିଲା । ଏହାର ଏକ ପ୍ରମୁଖ ସଦସ୍ୟ ଜରିପୁଟରେ ଥିବା ସନେ୍ଦହ କରି ଗତ ୩-୪ ଦିନ ଧରି ଟ୍ରାକ୍ କରୁଥିଲା । ଶେଷରେ, ଏସ୍ପି ଅଲେଖ ଚନ୍ଦ୍ର ପହିଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସ୍ଆଇ ପଦ୍ମଲୋଚନ ବେହେରା, ଏସ୍ଆଇ ସସ୍ମିତା ବେହେରା, ଏଏସ୍ଆଇ ପିକେ ପ୍ରଧାନ, ହାବିଲଦାର ଅଭୟ ସାମନ୍ତରାୟ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଜରିପୁଟରେ ଚଢ଼ଉ କରିଥିଲା । ଜରିପୁଟ ଜଙ୍ଗଲ ନିକଟ ଏକ ଘରୁ ଏକ ହିରୋ ଗ୍ଲାମୋର (ଜାଲ ନମ୍ବର- ଓଡି ୦୨ ବିଏ ୯୫୮୬), ହିରୋ ପ୍ଲିଜର (ଜାଲ ନମ୍ବର ଓଆର୍ ୦୨ ଜେଡ୍ ୪୫୯୭), ୫ଟି ଅଫୁଟା ହାତ ବୋମା, ୫୦୦ ଗ୍ରାମ ଗନ୍ ପାଉଡର ସହ ଅନ୍ୟ ସାମଗ୍ରୀ ଜବତ କରିଥିଲା ।
ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏନେଇ ୧୬୦/୨୦୨୨ରେ ଏକ ମାମଲା ରୁଜୁ କରାଯିବା ସହ ଜରିପୁଟର କାଳୁ ସାମନ୍ତରାୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଓ ମାମଲାର ଅଧିକ ତଦନ୍ତ ପାଇଁ ଏସ୍ଆଇ ସୁକାନ୍ତ ଦଳେଇଙ୍କ ଦାୟିତ୍ୱ ଦିଆଯାଇଛି ।
ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ, ଏହି ଗୋଷ୍ଠୀ କେବଳ ମୋଟରସାଇକଲ ଚୋରି କରୁନଥିଲେ, ବରଂ ପୁଲିସ ଓ ଲୋକଙ୍କୁ ଚକମା ଦେବା ପାଇଁ ଜାଲ ନମ୍ବର ଗାଡ଼ି ବ୍ୟବହାର କରି ଡକାୟତ ଆଦିରେ ମଧ୍ୟ ସମ୍ପୃକ୍ତ ଅଛନ୍ତି । ଏଥିରେ ଜଟଣୀ, ଶରଧାପୁର, ଖୋର୍ଦ୍ଧାର କେତେକ ଜଣାଶୁଣା ବ୍ୟକ୍ତି ସାମିଲ ଥିବା ଜଣାଯାଇଛି । ଏନେଇ ପୁଲିସ ନିକଟରେ ଠୋସ ପ୍ରମାଣ ରହିଥିବା ଓ ଖୁବ୍ଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଜଣାଯାଇଛି ।