ଗଞ୍ଜାମର ୨ ଗାଁ ଆନ୍ଧ୍ର ତାଳଗୁରାଣ୍ଠିର ୯ ନମ୍ବର ୱାର୍ଡ

ୱାର୍ଡ ସଭ୍ୟା ପ୍ରାର୍ଥୀ ସାବିତ୍ରୀ ଶବର

ପାତ୍ରପୁର : କୋରାପୁଟ ଜିଲ୍ଲା କୋଟିଆ ପରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତର ଦୁଇଟି ଗାଁ କୁଲାଡ଼ି ଓ ବାଞ୍ଜୁଆ ସାହି ଉପରେ ପଡ଼ୋଶୀ ଆନ୍ଧ୍ର ହାକିମାତି ଚଳାଇଛି। ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମର ଏହି ଦୁଇ ଗାଁକୁ ସାମିଲ କରିଛି। ଏପରିକି ଏହି ଗ୍ରାମଦ୍ବୟକୁ ଆନ୍ଧ୍ର ତାର ମଞ୍ଜୁଷା ମଣ୍ଡଳ ତାଳଗୁରାଣ୍ଠି ପଞ୍ଚାୟତର ୱାର୍ଡ଼-୯ ଦର୍ଶାଇଛି। ଗଞ୍ଜାମର କୁଲାଡ଼ି ଗ୍ରାମର ସାବିତ୍ରୀ ଶବର ଏହି ୱାର୍ଡ଼ର ୱାର୍ଡସଭ୍ୟା ପଦବି ଲାଗି ନାମାଙ୍କନ ଦାଖଲ କରିଛନ୍ତି। ଏହି ଦୁଇ ଗାଁକୁ ଆସ୍ତେ ଆସ୍ତେ ଆନ୍ଧ୍ର ନିଜ କବ୍‌ଜାକୁ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଚୁପ୍‌ ବସିଛି।

ସୀମାନ୍ତବର୍ତ୍ତୀ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର କିଛି ଗ୍ରାମ ଉପରେ ପଡ଼ୋଶୀ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିରବତାର ଫାଇଦା ନେଇ ସୀମାନ୍ତକୁ ଲାଗି ରହିଥିବା ପାତ୍ରପୁର ବ୍ଲକ୍‌ର ବିଭିନ୍ନ ଗ୍ରାମର ଲୋକଙ୍କୁ ଆନ୍ଧ୍ର ଭୋଟ ପରିଚୟପତ୍ର ପ୍ରଦାନ କରିବା ସହ ଜମିପଟ୍ଟା, ବିଦ୍ୟୁତ୍ ସଂଯୋଗ, ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟସେବା ଯୋଗାଉଛି। ଏଥିସହ ପାନୀୟ ଜଳ ପ୍ରକଳ୍ପ ମଧ୍ୟ କରୁଛି। ତେବେ ଆସନ୍ତା ୧୩ ତାରିଖରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଗଞ୍ଜାମ ଜିଲ୍ଳା ପାତ୍ରପୁର ବ୍ଳକର ଆଦିବାସୀ ଇଲକା ତୁମ୍ବା ଓ ବୁରାତାଲ ପଞ୍ଚାୟତର କୁଲାଡ଼ି, ବାଞ୍ଜୁଆସାହି, ବାବନାସାହି, ଗୁଡ଼ିଖଳା ପ୍ରମୁଖ ଗାଁ ସାମିଲ ହୋଇ ଭୋଟ ଦେବେ ବୋଲି ଜଣାପଡ଼ିଛି। ଏହି ଗାଁର ବାସିନ୍ଦାଙ୍କ ନିକଟରେ ଉଭୟ ଆନ୍ଧ୍ର ଓ ଓଡ଼ିଶାର ଭୋଟ ପରିଚୟପତ୍ର ରହିଛି। କୁଲାଡ଼ି ଗାଁର ପରିବାର ସଂଖ୍ୟା ୪୫। ବାଞ୍ଜୁଆ ସାହିର ପରିବାର ସଂଖ୍ୟା ୧୫। ୮ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ସହ ଚିହ୍ନ ବଣ୍ଟନ ହେବ। ଆସନ୍ତା ୯ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରଚାର ଥିବା ବେଳେ ୧୩ ତାରିଖରେ ମତଦାନ। ଆନ୍ଧ୍ରର ମଞ୍ଜୁଷା ମଣ୍ତଳରେ ସମୁଦାୟ ୩୮ଟି ପଞ୍ଚାୟତ ରହିଛି। ଏଥିମଧ୍ୟରୁ ତାଳଗୁରାଣ୍ଠି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରାଜେଶ୍ବରୀ ରାଇକା ଏବଂ ନାରୀନେତ୍ରୀ ବସନ୍ତ ଶବର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ପଞ୍ଚାୟତରେ ୧୦ଟି ୱାର୍ଡ ଥିବା ସହ ୧୪୩୧ ଜଣ ଭୋଟର ରହିଛନ୍ତି। ୯ ନମ୍ବର ୱାର୍ଡରେ କୁଲାଡ଼ି, କୁଲାଡ଼ିର ପଡ଼ା ‘ସାତପୁରି ଓ ବାଞ୍ଜୁଆ ସାହିର ୧୪୦ରୁ ଊର୍ଦ୍ଧ୍ବ ଭୋଟର ରହିଛନ୍ତି। ଏହି ୱାର୍ଡଟି ସମ୍ପୂର୍ଣ୍ଣ ଓଡ଼ିଶାର ବୋଲି ଜଣାପଡ଼ିଛି। ସ‌େହିପରି ପାତ୍ରପୁର ବ୍ଳକର ଗୁଡ଼ିଖଳା ଗାଁ ଆନ୍ଧ୍ର ଏକ ପଞ୍ଚାୟତରେ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର