ଭିସୁଟ୍‌ ଶିକ୍ଷକ ଆନ୍ଦୋଳନକୁ ଝଟ୍‌କା : ଜଣେ ବହିଷ୍କୃତ, ୨ ନିଲମ୍ବିତ, ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ର କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ବହିଷ୍କାର ଦାବି‌ରେ ଆନ୍ଦୋଳନରେ ବସିବା ଶିକ୍ଷକ ସଂଘକୁ ମହଙ୍ଗା ପଡ଼ିଛି। ଶନିବାର ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି, ଉପ ସଭାପତି ଓ ସମ୍ପାଦକଙ୍କ ସମେତ ମୋଟ ୧୮ ଜଣଙ୍କ ବିରୋଧରେ କୁଳପତି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସଂଘର ସଭାପତି ତଥା ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ପୁଷ୍ପରାଜ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଉପସଭାପତି ସେହି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପାଣ୍ଡବ ପାତ୍ର ଓ ସମ୍ପାଦକ ଆଇଟି ବିଭାଗର ଡ.ପ୍ରଦୀପ୍ତ ଦାସଙ୍କୁ ନିଲମ୍ବନ କରାଯାଇଛି। ଏହା ବାଦ୍‌ ଧାରଣାରେ ବସିଥିବା ଅନ୍ୟ ୧୫ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ନୋଟିସ୍‌ ପାଇଥିବା ଶିକ୍ଷକମାନଙ୍କୁ ଅଗଷ୍ଟ ୧୭ ତାରିଖ ସୁଦ୍ଧା କୁଳପତିଙ୍କୁ ଲିଖିତ ଭାବେ ଉତ୍ତର ଦେବାକୁ ନିର୍ଦେଶ ଦିଆଯାଇଛି।

ସେପଟେ, ଶିକ୍ଷକ ସଂଘ ଉପରେ କୁଳପତିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଭିସୁଟ୍‌ରେ ଶିକ୍ଷକ ଅଶାନ୍ତି ବୃଦ୍ଧି ପାଇଛି। ବହିଷ୍କୃତ ପ୍ରଫେସର ଶ୍ରୀ ଦାସଙ୍କୁ ଏ ନେଇ ପଚାରିବାରୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଓ ଏହା ଷଡ଼ଯନ୍ତ୍ର ବୋଲି କହିଥିଲେ। ତେବେ ଏହି ନିର୍ଦେଶନାମାକୁ ସେ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ମଧ୍ୟ ପ୍ରତିକ୍ରିୟାରେ କହିଛନ୍ତି। ନିଲମ୍ବିତ ଶିକ୍ଷକ ଦ୍ବୟ ମଧ୍ୟ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ଏ ନେଇ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ଯୋଗାଯୋଗ କରାଯିବାରୁ କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଯାହା ନିର୍ଦେଶ ଆସିଛି ତାହା ସେ କରିଛନ୍ତି ବୋଲି କହିଥିଲେ। ଅପରପକ୍ଷେ, ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଶିକ୍ଷକ ସଂଘରେ ଫାଟ ସୃଷ୍ଟି ହୋଇଥିବାରୁ ଆନ୍ଦୋଳନ ଜାରି ରହିବ ନା ପ୍ରତ୍ୟାହାର ହେବ ସେନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଗତ ୨୩ ଦିନ ହେବ ଭିସୁଟ୍‌ରେ ପରିସ୍ଥିତି ଅଶାନ୍ତ ରହିଛି। ଅନ୍ୟ ଶିକ୍ଷକଙ୍କୁ ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଇବା ଦ୍ବାରା ବିଶ୍ବବିଦ୍ୟାଳୟର ଶୈକ୍ଷିକ ପରିବେଶ ଉପରେ ପ୍ରଭାବ ପଡ଼ିବା, ଅନ୍ୟ ଶିକ୍ଷକଙ୍କୁ ପାଠ ପଢ଼ାଇବାରେ ବାଧା ସୃଷ୍ଟି କରିବା ଓ ସପ୍ଲିମେଣ୍ଟାରି ପରୀକ୍ଷା ଖାତା ମୂଲ୍ୟାଙ୍କନ ନକରିବା, ନାମଲେଖା ଚାଲିଥିବା ସମୟରେ ବିଶ୍ବବିଦ୍ୟାଳୟକୁ ନୂତନ ଛାତ୍ର ଓ ଅଭିଭାବକମାନେ ଆସୁଥିବାରୁ ଏହି ସମୟରେ ‌ମୁଖ୍ୟ ଫାଟକରେ ସ୍ଳୋଗାନ ଦେଇ ଭିସୁଟ୍‌ର ପ୍ରତିଷ୍ଠା କ୍ଷୁଣ୍ଣ କରିବା ଓ ସରକାରୀ ଚାକିରି ନିୟମର ଉଲ୍ଲଂଘନ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ଅଭିଯୋଗରେ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି। ତେବେ ବହିଷ୍କୃତ ହୋଇଥିବା ପ୍ରଫେସର ପୁଷ୍ପରାଜ ଦାସଙ୍କ ବିରୋଧରେ ଏହିସବୁ ଅଭିଯୋଗ ସମେତ ଅନ୍ୟ ଏକ ସଙ୍ଗିନ୍‌ ଅଭିଯୋଗ ମଧ୍ୟ ଆସିଛି। ଗତ ମାସ ୧୬ ତାରିଖରେ ନିଲମ୍ବିତ ହୋଇଥିବା ପ୍ରଫେସର ଏସ୍‌.ପି.ପାଣିଗ୍ରାହୀଙ୍କୁ ମଦ ପିଆଇ କୁଳପତିଙ୍କ ବିରୋଧରେ ଇ-ମେଲ କରିବା ପାଇଁ ପ୍ରବର୍ତ୍ତାଇବା ନେଇ ଅଭିଯୋଗ ଆସିଛି। କାରଣ ଦର୍ଶାଅ ନୋଟିସ୍‌ ପାଇଥିବା‌ ଶିକ୍ଷକଙ୍କ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଛି। ତେବେ ନାମଲେଖା ପ୍ରକ୍ରିୟାରେ ସାମିଲ ଶିକ୍ଷକଙ୍କୁ ସେମାନଙ୍କ କାର୍ଯ୍ୟରୁ ନିବୃତ୍ତ କରିବା ଅଭିଯୋଗ ମଧ୍ୟ ଉକ୍ତ ୧୫ ଶିକ୍ଷକଙ୍କ ବିରୋଧରେ ଆସିଛି। ୯/୮/୧୯ ରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆସିଥିବା ଚିଠି ସଂଖ୍ୟା ଏସ୍‌ଡିଟିଇ-ଏଚ୍‌ଟିଇ-ଏଚ୍‌ଟିଇ-ଆଇଆଇ-୦୦୨୮-୨୦୧୯/୩୮୩୭ ଆଧାରରେ ବିଶ୍ବବିଦ୍ୟାଳୟ କୁଳପତି ଶିକ୍ଷକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବହିଷ୍କୃତ ଶିକ୍ଷକଙ୍କୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ପଶିବାକୁ ବାରଣ କରାଯାଇଥିବା ବେଳେ ନିଲମ୍ବିତ ହୋଇଥିବା ଶିକ୍ଷକ ଦ୍ବୟଙ୍କୁ ବିଶ୍ବବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟାଳୟକୁ ପଶିବାକୁ ବାରଣ କରାଯାଇଛି ଏବଂ ଦିନକୁ ୨ ଥର ବିଶ୍ବବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଥିବା ରେଜିଷ୍ଟରରେ ଦସ୍ତଖତ କରିବାକୁ କୁହାଯାଇଛି। ଏହାସହ କୁଳପତିଙ୍କ ବିନା ଅନୁମତିରେ ବୁର୍ଲା ଛାଡ଼ି ବାହାରକୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି।

ବିଶ୍ବବିଦ୍ୟାଳୟରେ ପରିସ୍ଥିତି ଅଶାନ୍ତ ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ୨ ପ୍ଲାଟୁନ ପୁଲିସ୍‌ଙ୍କୁ ମଧ୍ୟ ମୁତୟନ କରାଯାଇଛି। ବୁର୍ଲା ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ର ଓ ଆଇଆଇସି ବି.ବି.ଭୋଇଙ୍କ ନେତୃତ୍ବରେ ପୁଲିସ୍‌ କ୍ୟାମ୍ପସକୁ ଜଗି ରହିଛି।

ସମ୍ବନ୍ଧିତ ଖବର