ପାଣିକୋଇଲି: ପାଣିକୋଇଲି ଛକରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଲଜ୍‌ ଉପରେ ପୁଲିସ ଆଜି ଭୋର ସମୟରେ ଚଢ଼ଉ କରି ଦେହ ବ୍ୟବସାୟରେ ଲିପ୍ତ ଜଣେ ମହିଳା ଓ ପୁରୁଷଙ୍କୁ ଉଠାଇ ନେଇଛି। ପ୍ରଥମ‌ ଏକ ଗଣ୍ତଗୋଳ ମାମଲାକୁ ନେଇ ପୁଲିସ ଏହି ହୋଟେଲ ନିକଟରେ ପହଞ୍ଚିଥିଲା। ଚଢ଼ଉ ସମୟରେ ଜଣେ ଦେହଜୀବୀଙ୍କ ସହ ଜଣେ ଗ୍ରାହକ ଅସଂଯତ ଅବସ୍ଥାରେ ଥିଲେ। ଦୁହିଁଙ୍କୁ ପୁଲିସ ଧରିନେବା ସହ ହୋଟେଲ ମାଲିକ ଓ ଦୁଇ କର୍ମଚାରୀଙ୍କୁ ମଧ୍ୟ ଥାନାକୁ ନେଇଯାଇଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଯୁବତୀଜଣକ ଅନ୍ୟ ଜିଲ୍ଲାର ଏବଂ ଧରାପଡ଼ିଥିବା ଯୁବକ କୋରେଇ ଥାନା ଅଞ୍ଚଳର।

Advertisment

ଏହି ରୢାକେଟରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ସେନେଇ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି। ଏସପି ରାହୁଲ ପିଆର ମଧ୍ୟ ସକାଳେ ଥାନାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ସନ୍ଧ୍ୟାରେ ଲଜ୍‌କୁ ଯାଇ ତନାଘନା କରିଛି। ରାତି ପର୍ଯ୍ୟନ୍ତ ଏହାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ତଦନ୍ତକାରୀ ଅଧିକାରୀ ଏଏସଆଇ ସତ୍ୟବାନ ଦାସ ସୂଚନା ଦେଇଛନ୍ତି। ପାଣିକୋଇଲିର ଏହି ଲଜ୍‌ ବ୍ୟତୀତ ଚାନ୍ଦପୁର ନିକଟରେ ଦୁଇଟି ହୋଟେଲ ଓ ଷଠିପୁର ଛକରେ ମଧ୍ୟ ଦେହ ବ୍ୟବସାୟ ଚାଲିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାଣିକୋଇଲିର କେତେକ ହୋଟେଲରେ କିଛିଦିନ ହେବ ଦେହ ବ୍ୟବସାୟ ଚାଲିଛି। ଗତକାଲି ରାତିରେ ଏହି ଲଜ୍‌ ସାମ୍‌ନାରେ ଯାଜପୁରରୋଡ୍‌ ଚୋରଦା ଅଞ୍ଚଳର କେତେଜଣ ଯୁବକ ଓ ସ୍ଥାନୀୟ ଜଣେ ଯୁବକଙ୍କ ମଧ୍ୟରେ କୌଣସି ଗଣ୍ଡଗୋଳ ହୋଇଥିଲା। ସ୍ଥାନୀୟ ଯୁବକ ପୁଲିସକୁ ଗଣ୍ଡଗୋଳ ଓ ଲଜ୍‌ ଭିତରେ ଦେହ ବ୍ୟବସାୟ ଚାଲୁଥିବା ସଂପର୍କରେ ଖବର ଦେଇଥିଲେ। ପୁଲିସ ଆସିବା ଦେଖି ଚୋରଦାର ଯୁବକମାନେ ଖସିଯାଇଥିଲେ କିନ୍ତୁ ଜଣେ ପୁଲିସ ହାବୁଡ଼ରେ ପଡ଼ିଯାଇଥିଲେ। ଅବଶ୍ୟ ସେକ୍ସ ରୢାକେଟ ଘଟଣାରେ ତାଙ୍କର ସଂପୃକ୍ତ ନମିଳିବାରୁ ବ୍ୟକ୍ତିଗତ ମୁଚାଲିକାରେ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।