ଶିକାର ବେଳେ ସହଯୋଗୀଙ୍କ ଗୁଳିରେ ୨ ଆହତ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ କରସିଂ ପଞ୍ଚାୟତର ପୋକଶୁଙ୍ଗା ଗ୍ରାମରେ ବାର୍‌ହା ଶିକାର କରିବାକୁ ଯାଇଥିବା ଦୁଇ ଆଦିବାସୀ ଯୁବକ ଅନ୍ୟ ୩ ସହ‌ଯୋଗୀ ଶିକାରୀଙ୍କ ଗୁଳିରେ ଆହତ ହୋଇଛନ୍ତି। ସେମାନେ ହେଲେ, ରଘୁନାଥ ଜାନି (୨୧) ଓ ଅବକାଶ ଜାନି (୨୫)। ରଘୁନାଥଙ୍କ ଡାହାଣ ଜଂଘରେ ୩ଟି ଓ ବାମ ଆଣ୍ଠୁ ତଳକୁ ଗୋଟିଏ ଗୁଳି ବାଜିଥିବା ବେଳେ ଅବକାଶଙ୍କ ବାମ ଆଣ୍ଠୁ ତଳକୁ ଗୋଟିଏ ଗୁଳି ବାଜିଥିବା ସୂଚନା ମିଳିଛି।

ଆଜି ମଧ୍ୟାହ୍ନରେ ୫ ଜଣ ଯୁବକ ବାର୍‌ହା ଶିକାର କରିବାକୁ ପୋକଶୁଙ୍ଗା ଗ୍ରାମ ନିକଟ କାଜୁ ଜଙ୍ଗଲକୁ ବନ୍ଧୁକ ଓ ଶିକାରୀ କୁକୁର ସହ ଯାଇଥିଲେ। ରଘୁନାଥ ଓ ଅବକାଶ ଏକ ନାଳ ନିକଟରେ ଛକି ବସିଥିବା ବେଳେ ଅନ୍ୟ ୩ ଜଣ ନାଳର ଅପରପାର୍ଶ୍ବରେ ଥିଲେ। ଏହି ସମୟରେ ଏକ ବାର୍‌ହା ପାଣି ପିଇବାକୁ ନାଳକୁ ଆସିଥିବା ଜାଣି କୁକୁର ଦୌଡ଼ିବାରୁ ରଘୁନାଥ ଓ ଅବକାଶ ପଛେପଛେ ଯାଉଥି‌ଲେ। ନାଳର ଅପରପାର୍ଶ୍ବରେ ପ୍ରସ୍ତୁତ ହୋଇ ରହିଥିବା ୩ ଜଣ ଶିକାରୀ ବାର୍‌ହାକୁ ଲକ୍ଷ୍ୟ କରି ଗୁଳି ଚଳାଇବା ବେଳେ ତାହା ରଘୁ ଏବଂ ଅବକାଶଙ୍କ ଦେହରେ ବାଜିଥିଲା। ଉଭୟଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ବୁଗୁଡ଼ା ପୁଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି। ଅବକାଶ ଓ ରଘୁନାଥ ସଂପର୍କୀୟ ଭାଇ ହୋଇଥିବା ବେଳେ ଉଭୟ ଆନ୍ଧ୍ରପ୍ରଦେଶରେ ଦାଦନ ଖଟୁଛନ୍ତି। ଭୋଟ୍ ଦେବାକୁ ସେମାନେ କିଛିଦିନ ତଳେ ଗ୍ରାମକୁ ଆସିଥିଲେ। ତେବେ ଏମାନେ ବନ୍ଧୁକ କେଉଁଠୁ ଆଣିଥଲେ ଓ ଅନ୍ୟ ୩ ଜଣ ଶିକାରୀ କିଏ ଥିଲେ, ଏନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି। ଏବେ ସେମାନଙ୍କ ଖୋଜଖବର ମିଳୁନି।

ସମ୍ବନ୍ଧିତ ଖବର