କୋପ୍ପଲ/ଦାରିଙ୍ଗବାଡ଼ି: ଏକ ଅଭାବନୀୟ ଘଟଣାକ୍ରମରେ କର୍ଣ୍ଣାଟକରେ ଇସ୍ରାଏଲର ଜଣେ ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସେମାନଙ୍କ ସହ ଥିବା ଜଣେ ଓଡ଼ିଆ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି। ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳ ହାମ୍ପି ନିକଟସ୍ଥ ତୁଙ୍ଗଭଦ୍ରା ଲେଫ୍ଟ ବ୍ୟାଙ୍କ କେନାଲ୍ ନିକଟରେ ଏହି ଘଟଣା ଘଟିଛି। ଜଣେ ୨୭ ବର୍ଷୀୟା ଇସ୍ରାଏଲୀ ପର୍ଯ୍ୟଟକ ଏବଂ ୨୯ ବର୍ଷୀୟ ହୋମ୍ଷ୍ଟେ ପରିଚାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସେମାନଙ୍କ ସହ ଓଡ଼ିଶା, ଆମେରିକା ଏବଂ ମହାରାଷ୍ଟ୍ରରୁ ୩ ଜଣ ପୁରୁଷ ପର୍ଯ୍ୟଟକ ଥିଲେ। ତେବେ ଅଭିଯୁକ୍ତମାନେ ପ୍ରଥମେ ୩ ପୁରୁଷ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେମାନଙ୍କୁ ତୁଙ୍ଗଭଦ୍ରା କେନାଲ୍କୁ ଠେଲି ଦେଇଥିଲେ। ଶନିବାର ସକାଳେ କେନାଲ୍ରୁ ଓଡ଼ିଆ ପର୍ଯ୍ୟଟକ ବିଭାସ ନାୟକଙ୍କ ମୃତଦେହ ମିଳିଛି। ବିଭାସଙ୍କ ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଶ୍ରାନିକେତା ପଞ୍ଚାୟତ ତେରାବାଡ଼ି ଗ୍ରାମରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକା ପର୍ଯ୍ୟଟକ ଡାନିଏଲ୍ ଏବଂ ମହାରାଷ୍ଟ୍ର ପର୍ଯ୍ୟଟକ ପଙ୍କଜ ପହଁରା ଜାଣିଥିବାରୁ ବଞ୍ଚି ଯାଇଛନ୍ତି। ତେବେ ସେମାନେ ଗୁରୁତର ଆହତ ହୋଇଥିବାରୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ପୁଲିସ ସୂଚନା ମୁତାବକ ଗଣଦୁଷ୍କର୍ମର ଶିକାର ହୋଇଥିବା ହୋମ୍ଷ୍ଟେ ମାଲିକ ଏ ନେଇ ଏକ ଏତଲା ରୁଜୁ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ଏବଂ ଅନ୍ୟ ୪ ଜଣ ଅତିଥି ଗୁରୁବାର ରାତିରେ କେନାଲ୍ ନିକଟରେ ସଙ୍ଗୀତ ଶୁଣୁଥିଲେ। ଏହି ସମୟରେ ରାତି ପ୍ରାୟ ୧୦.୩୦ ସମୟରେ ବାଇକ୍ରେ ୩ ଜଣ ବ୍ୟକ୍ତି ଆସି ସେମାନଙ୍କ ନିକଟରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ପେଟ୍ରୋଲ୍ କେଉଁଠୁ ମିଳିବ ବୋଲି ପଚାରିଥିଲେ ଏବଂ ପରେ ୧୦୦ ଟଙ୍କା ଦାବି କରିଥିଲେ। ପର୍ଯ୍ୟଟକମାନେ ସେମାନଙ୍କ କଥା ନ ଶୁଣିବାରୁ ସେମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ। ୨ ମହିଳା ପର୍ଯ୍ୟଟକଙ୍କ ସହ ଥିବା ୩ ଜଣ ପୁରୁଷ ପର୍ଯ୍ୟଟକଙ୍କୁ ସେମାନେ ଆକ୍ରମଣ କରି କେନାଲ୍ ଭିତରକୁ ଠେଲି ଦେଇଥିଲେ। ଏହା ପରେ ସେମାନେ ୨ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। କୋପ୍ଲ ଏସ୍ପି ରାମ୍ ଏଲ୍ ଆରାସିଦ୍ଦି ସ୍ପଷ୍ଟ କରିଛନ୍ତି ଯେ ବିଏନ୍ଏସ୍ର ବିଭିନ୍ନ ଧାରା ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଉକ୍ତ ଘଟଣାର ତଦନ୍ତ ପାଇଁ ୬ଟି ପୁଲିସ ଟିମ୍ ମଧ୍ୟ ଗଠନ ହୋଇଛି। ଦିଲ୍ଲୀରେ ବିଶପ୍ ଥିବା ମଡରେଟର୍ ବିଜୟ ନାୟକଙ୍କ ପୁଅ ହେଉଛନ୍ତି ବିଭାସ। ସେ ଦିଲ୍ଲୀର ଷ୍ଟିଫେନ୍ ହସ୍ପିଟାଲ୍ରେ ଚାକିରି କରୁଥିଲେ। ବିଭାସଙ୍କ ହତ୍ୟାକୁ ନେଇ ଦାରିଙ୍ଗବାଡ଼ି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।