ବ୍ରହ୍ମପୁର// କୋରାପୁଟ: ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରି ନୂଆ ପରମ୍ପରା ସୃଷ୍ଟି କରିଥିବା ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୟନ କ୍ଷେତ୍ରରେ ମଧ୍ୟ ‌ମହିଳାଙ୍କୁ ଗୁରୁତ୍ବ ଦେଇଛି। ଆଜି ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ସଂରକ୍ଷଣ ନ ଥାଇ ସୁଦ୍ଧା ଦୁଇ ଜଣ ମହିଳାଙ୍କୁ ଏଥିପାଇଁ ସୁଯୋଗ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ସୋନମ ଏବଂ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ତୁଳସୀ କିର୍ସାନୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଖଲ୍ଲିକୋଟ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟା ସୋନମ ନିର୍ବାଚିତ ହେବା ଫଳରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଚୟନ କ୍ଷେତ୍ରରେ ବିଜେଡି ବଜାୟ ରଖି ଆସିଥିବା ଧାରା ଭାଙ୍ଗିଛି। ବ୍ରହ୍ମପୁର ବଦଳରେ ଆସିକା ସଂସଦୀୟ କ୍ଷେତ୍ରକୁ ସୁଯୋଗ ମିଳିଛି। ଆଜି ନିର୍ବାଚନର ଅବ୍ୟବହିତ ପୂର୍ବରୁ ଛତ୍ରପୁର ସର୍କିଟ ହାଉସ୍‌ରେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଓ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ନେଇ ବୈଠକ ବସିଥିଲା। ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ ସେଠାରେ ନବୀନ ନିବାସରୁ ଆସିଥିବା ଲଫାପା ଖୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ସୋନମଙ୍କ ନାମ ଘୋଷଣା କରିଥିଲେ। ଏହା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ସୋନମ୍‌ ଜଣେ ମାତ୍ର ପ୍ରାର୍ଥୀ ରହିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ‌ଲକ୍ଷ୍ମୀକାନ୍ତ ସେଠୀ ଘୋଷଣା କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ବିଧାୟକ ହେବା ପରେ ଅଧ୍ୟକ୍ଷ ଆସନ ଖାଲି ପଡ଼ିଥିଲା। ସେହିଭଳି ଆଜି କୋରାପୁଟ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଂଖ୍ୟା ଦୃଷ୍ଟିରୁ ବିଜେଡି ଏହି ଆସନ ହାସଲ କରିବ ବୋଲି ସ୍ପଷ୍ଟ ହୋଇ ଯାଇଥିଲା। ତେବେ କିଏ ଅଧ୍ୟକ୍ଷ ହେ‌‌ବେ ତାହା ଜଣା ପଡ଼ି ନ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏହି ନିଷ୍ପତ୍ତି ଛାଡି ଦେଇଥିଲା ଦଳ। ଆଜି ମୁଖ୍ୟମନ୍ତ୍ରୀ ତୁଳସୀ କିର୍ସାନୀଙ୍କ ନାମକୁ ସୁପାରିସ କରି ପଠାଇଥିଲେ। ଫଳରେ ସେ ଏକମାତ୍ର ପ୍ରାର୍ଥୀ ଭା‌ବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ସେ ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇଥିଲେ। ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ତୁଳସୀଙ୍କୁ ଜିଲ୍ଲା ପରିଷଦ ସଭାପତି ଭ‌ାବେ ଘୋଷଣା କରିଥିଲେ।