କଟକ: ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତ୍ତି ଅଞ୍ଚଳରେ ମାଓ ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ପଡ଼ୋଶୀ ରାଜ୍ୟ ସହାୟତାରେ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇ ଦୃଢ଼ ହସ୍ତରେ ମାଓ ଦମନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ। ଗତ ଦୁଇ ବର୍ଷ ମଧ୍ୟରେ ମୋଟ ୪୦ ଜଣ ନିରୀହ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ଏ ପ୍ରକାର ସମ୍ବେଦନଶୀଳ ପ୍ରସଂଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ହାଇଦ୍ରାବାଦ୍‌ରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାନସମନ୍ଥନ କରାଯାଇଥିଲା। ରାଜ୍ୟ ପୁଲିସ ବିଭାଗର ରିପୋର୍ଟ ଅନୁଯାୟୀ, ୨୦୧୬ରେ ରାଜ୍ୟର ମାଓ ଅଧ୍ୟୁଷିତ ଇଲାକାରେ ମୋଟ ୬୮ଟି ହିଂସାକାଣ୍ଡ ମାଓବାଦୀମାନେ ଘଟାଇଥିବା ବେଳେ ୨୦୧୭ରେ ୫୨ଟି ଘଟିଥିଲା। ଏହି ୫୨ଟି ଘଟଣା ମଧ୍ୟରୁ ୧୫ଟି ଉଭୟ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସେହି ବର୍ଷ ମୋଟ ୯ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଥିଲେ। ଏହାସହିତ ପୁଲିସ ବିଭାଗରେ କାର୍ଯ୍ୟରତ ୭ ଜଣ ଡ୍ରାଇଭର ଏବଂ ଜଣେ ଗ୍ରାମରକ୍ଷୀ ମଧ୍ୟ ମାଓ ଆକ୍ରମଣର ଶିକାର ହୋଇଥିଲେ। ମାଓ ହିଂସାରେ ଜଣେ ସୁରକ୍ଷା କର୍ମୀ ଶହୀଦ ହୋଇଥିଲା। ଅନ୍ୟପଟେ ୨୦୧୬ ରେ ୨୩ ଜଣ ସାଧାରଣ ନାଗରୀକଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୧୭କୁ ହ୍ରାସ ପାଇଛି। ୨୦୧୭ ବର୍ଷରେ ୩୫ ଜଣ ମାଓବାଦୀଙ୍କୁ ଗିରଫ ଏବଂ ୨୬ ଜଣ ପୁଲିସ ନିକଟରେ ଆତ୍ମସମ୍ପର୍ପଣ କରିଥିବା ସଂକ୍ରାନ୍ତରେ ପୁଲିସ ବିଭାଗର ପ୍ରକାଶିତ ରିପୋର୍ଟରୁ ସୂଚନା ମିିଳିଛି।

Advertisment

ଓଡ଼ିଶା ପ୍ରସଂଗରେ ମାଲ୍‌କାନଗିରି, ନୂଆପଡ଼ା ଜିଲ୍ଲାର ସୁନାବେଢ଼ା ସଂରକ୍ଷଣ ଜଙ୍ଗଲକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଏହି ଅଞ୍ଚଳରେ ସିପିଆଇ ମାଓବାଦୀଙ୍କ ଚଳପ୍ରଚଳ ଅଧିକ ସଂଖ୍ୟାରେ ରହିଥିବା କୁହାଯାଉଛି। ଆନ୍ଧ୍ର ସୀମାକୁ ଲାଗି ରହିଥିବା ଏହି ଅଞ୍ଚଳରେ ସୁରକ୍ଷା ବଳ ନିୟୋଜିତ କ୍ଷେତ୍ରରେ ରଣନୀତି ପରିବର୍ତ୍ତନ, ଗୁଇନ୍ଦା ତଥ୍ୟ ସଂଗ୍ରହକୁ ଅଧିକ କ୍ରିୟାଶୀଳ ଏବଂ ସୁରକ୍ଷା ବ୍ୟବସ୍ଥା କିଭଳି ଅତ୍ୟାଧୁନିକ ଢଂଗରେ ପରିବର୍ତ୍ତନ ଅଣାଯାଇପାରି, ସେ ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଥିଲା। ଏବେ ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, ନବରଙ୍ଗପୁର ଇତ୍ୟାଦି ଜିଲ୍ଲାରେ ମାଓ ପ୍ରଭାବ ହ୍ରାସ ପାଇଥିବା ପୁଲିସ ବିଭାଗ ଆକଳନ କରୁଛି। କିନ୍ତୁ ନୂଆପଡ଼ା, ବୌଦ୍ଧ, ନୟାଗଡ଼, କେନ୍ଦୁଝର, ସମ୍ବଲପୁର, ଦେଓଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ମାଓ ଗତିବିଧି ବୃଦ୍ଧି ପାଇଥିବାରୁ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହିତ ମାଓ ଦମନ ଉପରେ ଗୁରୁତ୍ୱ ଦିଆଯିବାକୁ ବିଚାରବିମର୍ଶ କରାଯାଇଛି। ଏବେ ମାଓ ପ୍ରଭାବିତ ଅଞ୍ଚଳରେ ଉଭୟ ସିଆର୍‌ପିଏଫ୍‌ ଏବଂ ବିଏସ୍‌ଏଫ୍‌ର ମୋଟ ୧୬ ବାଟାଲିୟନ୍‌ ଫୋର୍ସ ମୁତୟନ ହୋଇଥିବା ବେଳେ କିଭଳି ଉପଯୁକ୍ତ ଢଂଗରେ ମୁତୟନ କରାଯାଇପାରିବ, ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା।

ହାଇଦ୍ରାବାଦ୍‌ରେ ଗତକାଲି ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗୃହ ମନ୍ତ୍ରଣାଳୟର ସୁରକ୍ଷା ପରାମର୍ଶଦାତା ଅଧ୍ୟକ୍ଷତା କରିଥିଲେ। ଏଥିରେ ଓଡ଼ିଶା ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମାଙ୍କ ସମେତ ଆଇଜି ଅପରେସନ୍‌ ଆର୍‌.ପି. କୋଚେ, ଏସ୍‌ଆଇଡବ୍ଲୁ ଡିଆଇଜି ନରସିଂହ ଭୋଳଙ୍କ ସମେତ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର ସମେତ ବିଏସ୍‌ଏଫ୍‌ ଏବଂ ସିଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।