ଭୁବନେଶ୍ବର: ନବଜାତ ଶିଶୁଙ୍କ କ୍ଷେତ୍ରରେ ବକ୍ରପାଦ ଏକ ପ୍ରମୁଖ ସମସ୍ୟା। ରାଜ୍ୟରେ ପ୍ରତିବର୍ଷ ୨ହଜାର ବକ୍ରପାଦ ଆକ୍ରାନ୍ତ ଶିଶୁ ଜନ୍ମଗ୍ରହଣ କରିଥାନ୍ତି। ଠିକ୍ ସମୟରେ ଚିକିତ୍ସା କରା ନ ଗଲେ ଏହି ଶିଶୁମାନେ ଜୀବନବ୍ୟାପୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ବକ୍ରପାଦର ନିରାକରଣ ପାଇଁ ରାଜ୍ୟ ସରକାର ୨୦୧୨ ମସିହାରେ କ୍ୟୁର ଇଣ୍ଟରନସନାଲ ଇଣ୍ଡିଆ ସହିତ ଏକ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ। ପର୍ଯ୍ୟାୟକ୍ରମେ ସଂସ୍ଥାର ନବୀକରଣ କରାଯାଉଛି। ଏହିଭିତ୍ତିରେ ରାଜ୍ୟ ସରକାର ଆଜି କ୍ୟୁର ଇଣ୍ଡିଆର ଚୁକ୍ତିନାମାକୁ ୨ବର୍ଷ ପାଇଁ ବଢ଼ାଇ ଦେଇଛନ୍ତି।

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଉଦ୍ୟମରେ ବକ୍ରପାଦ ନିରାକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତମାନ ସୁଦ୍ଧା ରାଜ୍ୟରେ ୫ହଜାର ଶିଶୁ ଏଥିରେ ଉପକୃତ ହୋଇଛନ୍ତି। ଏହାସହ ୧୧୦ଜଣ ଡାକ୍ତରଙ୍କୁ ପନସେଟି ଟେକ୍‌ନିକ୍ ସହିତ ଅନ୍ୟ ତାଲିମ୍ ପ୍ରଦାନ କରାଯାଇଛି। କ୍ୟୁର ଇଣ୍ଡିଆ ପକ୍ଷରୁ ବକ୍ରପାଦର ଚିକିତ୍ସା ପାଇଁ ସଂପୃକ୍ତ ଶିଶୁଙ୍କ ପିତାମାତଙ୍କ କାଉନସେଲିଂ କରାଯାଉଛି। ବକ୍ରପାଦର ଶିକାର ଶିଶୁଙ୍କୁ ଫୁଟ୍‌ ଆବଡକ୍ସନ୍ ବ୍ରେସେସ୍ ମାଗଣାରେ ଦିଆଯାଉଥିବା ବେଳେ ୨୪ଘଣ୍ଟିଆ ହେଲ୍‌ପଲାଇନ୍ କାର୍ଯ୍ୟ କରୁଛି।

ରାଜ୍ୟରେ ଏସ୍‌ସିବି, ଏମ୍‌କେସିଜି, ଭିମ୍‌ସାର, ଆରଜିଏଚ୍‌, ନିରତାର(ଓଲଟପୁର), ଏସ୍‌ଭିପିପିଜିଆଇପି, କଟକ, କ୍ୟାପିଟାଲ ହସ୍ପିଟାଲ ଓ ପିଜି ଇନଷ୍ଟିଚ୍ୟୁଟ୍‌ରେ ବକ୍ରପାଦର ଚିକିତ୍ସା ଦିଆଯାଉଛି। ଏସ୍‌ସିବି ମେଡିକାଲ କଲେଜର ଅସ୍ଥିଶଲ୍ୟ ବିଭାଗକୁ ନୋଡାଲ ବିଭାଗ ଭାବେ ଘୋଷଣା କରାଯାଇଛି। ୬ବର୍ଷରୁ କମ୍ ଶିଶୁଙ୍କ ଚିହ୍ନଟ କରିବା ଲାଗି ଆରବିଏସ୍‌କେ ଟିମ୍‌କୁ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତା ପ୍ରଦାନ କରୁଛି। ସେହିପରି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର(ଡିଡିଆରସି) ଜରିଆରେ ଜିଲ୍ଲା ପ୍ରା‌ଥମିକ ହସ୍ତକ୍ଷେପ କେନ୍ଦ୍ର(ଡିଇଆଇସି)ରେ ବକ୍ରପାଦ ଶିଶୁଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି।