ବେତନଟୀ: ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ବଣୁଆ ହାତୀପଲ ଗାଁକୁ ପଶିଆସି ଏକ ଘର ଉପରେ ଆକ୍ରମଣ କରୁଥିବା ବେଳେ କାନ୍ଥତଳେ ଚାପିହୋଇ ଦୁଇ ବର୍ଷର ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗ୍ରାମର ଯୁଧିଷ୍ଠିର କିସ୍କୁ ଏବଂ ରୀନା କିସ୍କୁଙ୍କ ଏକମାତ୍ର ଶିଶୁପୁତ୍ର ଦିବ୍ୟପ୍ରକାଶ କିସ୍କୁ।

Advertisment

ସୂଚନା ମୁତାବକ, ଖାଦ୍ୟ ଅନ୍ୱେଷଣରେ ୭ଟିକିଆ ହାତୀପଲ ଶୁକ୍ରବାର ବିଳମ୍ବିତ ରାତିରେ ସଇତପୁର ଗାଁକୁ ପଶି ଆସିଥିଲେ। ତନ୍ମଧ୍ୟରୁ ଦୁଇଟି ହାତୀ ଯୁଧିଷ୍ଠିରଙ୍କ ଘର ଉପରେ ଘନଘନ ଆକ୍ରମଣ କରିଥିଲେ।  ଘର ଭିତରେ ଜେଜେମା ସାଲଗେ କିସ୍କୁ ଓ ମା'ରୀନା କିସ୍କୁଙ୍କ ସହିତ ଚଟାଣରେ ଶୋଇଥିବା ଦିବ୍ୟପ୍ରକାଶଙ୍କ ଉପରେ କାନ୍ଥ ଗଡି ପଡ଼ିଥିଲା। ମା ଓ ଜେଜେମା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦିବ୍ୟପ୍ରକାଶ କିନ୍ତୁ କାନ୍ଥତଳେ ଚାପିହୋଇ ରହିଯାଇଥିଲେ।

ହାତୀ ଭୟ ଥମିବା ପରେ କୌଣସି ପ୍ରକାରେ କାନ୍ଥତଳୁ ଦିବ୍ୟପ୍ରକାଶଙ୍କୁ ଉଦ୍ଧାରକରି ପରିବାରଲୋକେ ବନବିଭାଗ ସହାୟତାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଦିବ୍ୟପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। ଜେଜେମା ଓ ମା' ଆଗରେ ଦୁଇବର୍ଷ ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁକୁ ନେଇ ପୁରା ପରିବାର ସ୍ତବ୍ଧ ହୋଇପଡ଼ିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୈଶିଙ୍ଗା ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ଶଵବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।