ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ-ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଜଣଙ୍କର ଓ ରାସ୍ତାକଡ଼ରେ ଆଉଜଣଙ୍କ ମୃତଦେହ ପଡ଼ିରହିଥିବା ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ବିଦ୍ୟୁତ୍ ଖୁଣ୍ଟିରେ ପିଟିହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତ ଦୁଇ ଯୁବକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଓ ପୁପୁନା ପାଢ଼ୀ।
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି। ଘଟଣାସ୍ଥଳରୁ ପୁଲିସ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।
ଗତକାଲି ବିଳମ୍ବିତ ରାତିରେ ସାକ୍ଷୀଗୋପାଳ ଡେଲାଙ୍ଗ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପକ୍ଷୀମୁଣ୍ଡ ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ଡେଲାଙ୍ଗ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ୨ ସାଙ୍ଗ ଲିପୁନ ସେନାପତି ଓ ପୁପୁନା ପାଢ଼ୀ ସାକ୍ଷୀଗୋପାଳରୁ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଘରକୁ ଫେରୁଥିବା ସମୟରେ ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟରେ ବାଇକଟି ପିଟି ହୋଇଯାଇଥିଲା ବୋଲି ଅନୁମାନ କରାଯାଉଛି। ବାଇକ ସହିତ ୨ ସାଙ୍ଗ ରାସ୍ତା ପାର୍ଶ୍ଵ ନାଳକୁ ଖସି ପଡ଼ିଥିଲେ। ରାତିସାରା ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିରହିଥିଲେ।
ସକାଳୁ ସକାଳୁ ରାସ୍ତା ଦେଇ ଯାଉଥିବା ବାଟୋଇଙ୍କ ନଜର ପଡ଼ିବା ପରେ ଦୁର୍ଘଟଣା କଥା ଜଣାପଡ଼ିଥିଲା। ପୁଲିସ ବାଇକଟିକୁ ଜବତ କରି ଏକ ମାମଲା ରୁଜୁ କରିଛି। ଘଟଣାରେ ତଦନ୍ତ ଚାଲିଛି। ମୃତ ୨ ସାଙ୍ଗଙ୍କ ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବାନ୍ଧବଙ୍କ କାନ୍ଦ ବୋବାଳିରେ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।