ଗୁରୁତର ରୋଗୀଙ୍କୁ ରକ୍ତ ଦେବାକୁ ଚନ୍ଦାହାଣ୍ଡିରୁ ସୁଦୂର କଟକ ଗଲେ ୨ଜଣ ଯୁବକ

ଚନ୍ଦାହାଣ୍ଡି: ଜଣେ ଅସହାୟ ରୋଗୀଙ୍କୁ ରକ୍ତ ଦେବା ପାଇଁ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡିର ୨ ଜଣ ଯୁବକ ସୁଦୂର କଟକ ଯାଇ ନିଜର ମହାନତାର ପରିଚୟ ଦେଇଛନ୍ତି। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଚକାମାଲ ଗ୍ରାମର ଡିଙ୍ଗର ହଂସ (୪୦) ଅଜଣା ରୋଗରେ ଆକ୍ରାନ୍ତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି। ଡିଙ୍ଗରଙ୍କୁ ତୁରନ୍ତ ରକ୍ତର ଆବଶ୍ୟକ ଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ପରିବାର ବର୍ଗ ନିରକ୍ଷର ହୋଇଥିବା ବେଳେ କଟକରେ କେହି ସମ୍ପର୍କୀୟ ନଥିବାରୁ ରକ୍ତ ପାଇଁ କାହାକୁ ନିବେଦନ କରିବେ ସେ ନେଇ କିଛି ବୁଝିପାରିଲେ ନାହିଁ। ଶେଷରେ ତାଙ୍କ ପରିବାର ବର୍ଗ ନିରାଶରେ ରକ୍ତର ଆବଶ୍ୟକତା ଥିବା ନେଇ ନିଜ ଗାଁକୁ ଖବର ଦେଇଥିଲେ।

କଟକ ବଡ ମେଡିକାଲରେ ଡିଙ୍ଗରଙ୍କୁ ରକ୍ତର ଆବଶ୍ୟକତା ଥିବା ନେଇ ଗୋଟିଏ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହାକୁ ଦେଖି ଶିକ୍ଷକ ସନ୍ତୋଷ କୁମାର ଖମାରୀ ରକ୍ତର ଆବଶ୍ୟକତା ଥିବା ସଂକ୍ରାନ୍ତରେ ଚନ୍ଦାହାଣ୍ଡି ଅଞ୍ଚଳର ବିଭିନ୍ନ ସାମାଜିକ ଗଣମାଧ୍ୟମ ଗ୍ରୁପ୍‌ ଗୁଡିକରେ ପୋଷ୍ଟ  କରିବା ସହ ଚନ୍ଦାହାଣ୍ଡି ବ୍ଲକର ପଲସାପଡା ଗ୍ରାମର ଅର୍ଜୁନ ଚଣ୍ଡୀ ଓ ଲୋଧୁଆପଡା ଗ୍ରାମର ହିମାଂଶୁ ଶେଖର ଗୋପାଳଙ୍କୁ ରକ୍ତ ଦେବା ନେଇ ଉତ୍ସାହିତ କରିଥିଲେ।

ଉଭୟ ଯୁବକ କଟକ ଏସସିବି ମେଡିକାଲକୁ ଯାଇ ରକ୍ତ ଦେବାକୁ ଆଗ୍ରହ ପ୍ରକାଶ କରିବା ସହ ଆଜି ସକାଳେ ବସ୍‌ ଯୋଗେ କଟକ ପହଞ୍ଚି ଗୁରୁତର ଡିଙ୍ଗରକୁ ରକ୍ତ ଦାନ କରି ମାନବିକତାର ପରିଚୟ ଦେଇଛନ୍ତି। ଏହି ଦୁଇ ଯୁବକ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ହେଉଥିବା ରକ୍ତଦାନ ଶିବିରରେ ବହୁବାର ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ କରିବା ନିମନ୍ତେ ଆଗେଇ ଆସିବାକୁ ବୁଝାଇଥାନ୍ତି। ବିପଦ ସମୟରେ ଏଭଳି ରକ୍ତ ଦାନ କଲେ ଅନେକ ଜୀବନ ବଞ୍ଚିଯାଇପାରିବ ବୋଲି ବିପଦର ବନ୍ଧୁ ସାଜିଥିବା ଏହି ଦୁଇ ଯୁବକ ପ୍ରକାଶ କରିଛନ୍ତି। ଏହି ଦୁଇ ବନ୍ଧୁଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ପ୍ରକାଶ ଥାଉକି ଡିଙ୍ଗରଙ୍କୁ ଗତ ଅକ୍ଟୋବର ୧୦ ତାରିଖ ଦିନ ପରିବାର ବର୍ଗ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଯ ସେଠାରେ ତାଙ୍କୁ ରକ୍ତ ଦିଆ ଯିବା ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ସ୍‌ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ କଟକ ଏସସିବି ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ତାଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରିବାର ବର୍ଗ ଘରକୁ ଫେରାଇ ଆଣିଥିଲେ। ପରିବାର ବର୍ଗ ଗତ ୧୯ ତାରିଖ ଦିନ ଡିଙ୍ଗର ଙ୍କୁ ନେଇ କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର