ପ୍ରଖର ସ୍ରୋତରେ ଭାସିଗଲେ ୨ ଯୁବକ: ଜଣେ ଉଦ୍ଧାର, ଜଣେ ନିଖୋଜ

ପାଟପୁର/ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଓ ପାଟପୁର ଥାନା ଅଧୀନ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମରେ ଥିବା ଘୋଡ଼ାହାଡ଼ ନଦୀର ଶାଖା ରାଉତରାୟ ନାଳର ପ୍ରଖର ସ୍ରୋତରେ ଦୁଇଜଣ ଯୁବକ ଭାସି ଯାଇଥିଲେ। ଦୁହିଁଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟଜଣେ ଏଯାବତ୍ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ଲାଗି ଦିଗପହଣ୍ଡି ଓ ସାନଖେମୁଣ୍ଡି ଦମକଳବାହିନୀ ଅକ୍ଲାନ୍ତ ପରିଶ୍ରମ ଚଳାଇଛନ୍ତି। କିନ୍ତୁ, ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ସୂଚନାନୁସାରେ, ଆଜି ସକାଳ ୧୦ଟାରେ ଗ୍ରାମର ତିନିଜଣ ଯୁବକ ଜଗନ୍ନାଥ ସେଠୀ, ଟୁକୁନା ଚୌଧୁରୀ ଏବଂ ବଳରାମ ଡାକୁଆ ମିଶି ରାଉତରାୟ ନାଳକୁ ଗାଧୋଇବାକୁ ଯାଇଥିଲେ। ଗତକାଲି ପ୍ରବଳ ବର୍ଷା ପାଇଁ ନାଳରେ ଜଳର ସ୍ରୋତ ଅଧିକ ରହିଥିଲା। ଅସାବଧାନତା ଯୋଗୁଁ ଜଗନ୍ନାଥ ପ୍ରଥମେ ଭାସି ପଳାଉଥିବା ବେଳେ ତାଙ୍କୁ ବଞ୍ଚାଇବା ଲାଗି ବଳରାମ ପାଣିକୁ ଡେଇଁଥିଲେ। ସେ ମଧ୍ୟ ଭାସି ଯାଇଥିଲେ। ତେବେ, ଟୁକୁନା ଗଭୀର ପାଣିରୁ ଜଗନ୍ନାଥଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ବଳରାମଙ୍କ ପତ୍ତା ମିଳି ନଥିଲା। ଏ ସମ୍ପର୍କରେ ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଜଗନ୍ନାଥଙ୍କୁ ୧୦୮ ଆମ୍ବୁଲାନ୍ସ୍ ଯୋଗେ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ, ସାନଖେମୁଣ୍ଡି ଓ ପରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଳରାମଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ଖବର ଲେଖାହେବା ସୁଦ୍ଧା ବଳରାମଙ୍କର ସନ୍ଧାନ ମିଳିପାରି ନାହିଁ। ଯାହାକୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତାରେ ଅଛନ୍ତି।

ସମ୍ବନ୍ଧିତ ଖବର