କନ୍ଦରପୁର: କଟକ ପାରାଦୀପ ରାସ୍ତାର କନ୍ଦରପୁର ଟୋଲଗେଟ୍ରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ୍ ସହ ଦୁଇ ଜଣ ବାଇକ୍ ଆରୋହୀ ଜଳି ଯାଇଛନ୍ତି। ମୃତ ବ୍ୟକ୍ତିମାନେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ରାହାମା ବାଲିଢି଼ଅ ଗ୍ରାମର ଗଗନ ସାହୁଙ୍କ ପୁଅ ଇଶାନ୍ତ ସାହୁ (୨୪) ଓ ସୁଦର୍ଶନ ଦାସଙ୍କ ପୁଅ ରାଜେଶ ଦାସ (୨୮)।
ସୂଚନା ମୁତାବକ ଇଶାନ୍ତ ଓ ରାଜେଶଙ୍କୁ ମିଶାଇ ୬ଜଣ ସାଙ୍ଗ ଆଜି ସକାଳୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଗତକାଲି ରାତିରେ ୩ଟି ବାଇକରେ ପୁରୀ ବାହାରି ଥିଲେ। ରାତି ପ୍ରାୟ ୨ଟାରେ କନ୍ଦରପୁର ଟୋଲଗେଟ୍ ଟପୁଥିବା ରାଜେଶ ଓ ଇଶାନ୍ତଙ୍କ ବାଇକ ଭାରସାମ୍ୟ ହରାଇ ଟୋଲଗେଟ୍ରେ ପଇସା ଦେବାକୁ ଅଟକି ଥିବା ଏକ ମିକ୍ସର ମ୍ୟାସିନ୍ରେ ପିଟି ହୋଇଯାଇଥିଲେ। ଫଳରେ ଦୁହେଁ ବାଇକ ସହ ରାସ୍ତା ଉପରେ ପଡିଯାଇଥିଲେ। ସେହି ସମୟରେ ବାଇକ୍ର ପେଟ୍ରୋଲ ଟାଙ୍କି ଖୋଲି ଯିବାରୁ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଇଶାନ୍ତ ଓ ରାଜେଶ ଗାଡି ସହ ନିଆଁରେ ପୋଡି ହୋଇଯାଇଥିଲେ। ସେତେବେଳେ ଟୋଲଗେଟ୍ରେ ଉପସ୍ଥିତ ଥିବା ୪/୫ ଜଣ କର୍ମଚାରୀ କିଛି ବୁଝିବା ବେଳକୁ ନିଆଁ ଅଣାୟତ୍ତ ହୋଇ ପଡ଼ିଥିଲା। ସେମାନେ ନିକଟରେ ଥିବା ବୋତଲରୁ ପିଇବା ପାଣି ଢାଳି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ କିଛି ସୁଫଳ ମିଳିନଥିଲା। ସେମାନେ ତୁରନ୍ତ କନ୍ଦରପୁର ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। କନ୍ଦରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକ ଆରୋହୀଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନା ପଠାଇଥିଲା। ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ କଟକ ଆରଟିଓ ସଞ୍ଜୟ କୁମାର ବେହେରା, ସଡକ ସୁରକ୍ଷା ଅଧିକାରୀ ପର୍ଜିତ ଜୈନ ଓ ଅଲିସା ଖାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଟୋଲଗେଟରେ ରହିଥିବା ଏକାଧିକ ଅବ୍ୟବସ୍ଥା ନେଇ ଅଧିକାରୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ୭ଦିନ ମଧ୍ୟରେ ଅବ୍ୟବସ୍ଥାକୁ ସୁଧାରିବାକୁ ଟୋଲଗେଟ ନିଲାମଧାରୀଙ୍କୁ ତାଗିଦ କରିଥିଲେ।