ନିର୍ଦ୍ଧାରିତ ସମୟରେ ସରିଲାନି ଗଳାପୋଲ, ୪ ମାସରେ ୨୦ ଦୁର୍ଘଟଣା, ୩୦ ଆହତ

ଶୀଘ୍ର କାମ ନସରିଲେ ଆନ୍ଦୋଳନ ଚେତାବନୀ

କଳାବାଡ଼ିଆ: ବାଙ୍ଗିରିପୋଷି ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର କଳାବାଡ଼ିଆ ଛକରେ ଏକ ଗଳାପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ନିର୍ଦ୍ଧାରିତ ଅବଧି ଶେଷ ହୋଇଯାଇଥିଲେ ବି କାର୍ଯ୍ୟ ସରୁନି। ଏପରି ସମୟରେ ଏଠାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ପୋଲ ଉପରେ ପଡ଼ୁଥିବା ମାଟି ବର୍ଷାପାଣିରେ ଧୋଇହୋଇ ରାଜପଥ ଉପରେ ଜମି ରହୁଛି। ଫଳରେ ମୋଟରସାଇକେଲ୍‌ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି।

୪ ମାସ ମଧ୍ୟରେ ପ୍ରାୟ ୨୦ଟିରୁ ଅଧିକ ଦୁର୍ଘଟଣା ଘଟି ସା‌ରିଲାଣି। ଯେଉଁଥିରେ ୩୦ ଜଣରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ପୋଲ ନିର୍ମାଣକାରୀ ସଂସ୍ଥା ୟୁଇ ଫାଇଭ୍‌ ନିରବଦ୍ରଷ୍ଟା ପାଲଟିଛି। ତେବେ ସୁରକ୍ଷ‌ା ଦୃଷ୍ଟିରୁ ଉକ୍ତ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ବାଡ଼ ନିର୍ମାଣ ସହ ରିଫ୍ଲେକ୍ଟର ଲଗାଯିବା ଏବଂ ସିକୁରିଟି ଗାର୍ଡ ନିୟୋଜନ କରିବା ପାଇଁ ଦାବି ହୋଇଛି। ଏନେଇ ନିର୍ମାଣକାରୀ କମ୍ପାନିର ଜଣେ କର୍ମଚାରୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ବର୍ଷା ପାଇଁ କାମ ବିଳମ୍ବ ହୋଇଥିବା କହିଛନ୍ତି। ତେବେ ତୁରନ୍ତ ଦାବି ପୂରଣ ସହ ପୋଲ କାମ ନସରିଲେ ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର