କଟକ : ଏସ୍ସିବି ମେଡିକାଲ୍ ସେଣ୍ଟ୍ରାଲ୍ ଆଇସିୟୁର ୨୦ ବେଡ୍ ଏବେବି ଅଚଳ ଅବସ୍ଥାରେ ପଡ଼ିରହିଛି। ଏହି ବେଡ୍ଗୁଡ଼ିକ ପାଇଁ ମନିଟର କିଣାଯାଇ ନଥିବାରୁ ସେଗୁଡ଼ିକ ରୋଗୀଙ୍କ ସେବାରେ ଲାଗିପାରୁନାହିଁ। ଆଇସିୟୁରେ ମୋଟ ୩୦ ବେଡ୍ ଥିବାବେଳେ ବର୍ତ୍ତମାନ କେବଳ ୧୦ଟି ବେଡ୍ କାର୍ଯ୍ୟ କରୁଛି। ସରକାରଙ୍କ ପକ୍ଷରୁ ଆବଶ୍ୟକ ଉପକରଣ ଓ କର୍ମଚାରୀ ନିଯୁକ୍ତିରେ ବିଳମ୍ବ କରାଯାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା ଜଣାଯାଇଛି। ଏଥିପାଇଁ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆଇସିୟୁର ସୁପରିଚାଳନା ପାଇଁ ଏକ ବୈଠକ ଡକାଯାଇ ତୁରନ୍ତ ଉକ୍ତ ଆବଶ୍ୟକତା ପୂରଣ କରିବାକୁ ପୁଣି ଥରେ ସରକାରଙ୍କୁ ଅନୁରୋଧ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ମେ’ ୧୭ ତାରିଖରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସେଣ୍ଟ୍ରାଲ୍ ଆଇସିୟୁର ନୂତନ ବ୍ଲକ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିଥିଲେ। ବର୍ଦ୍ଧିତ ରୋଗୀସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରୁ ଏସ୍ସିବିର ପୁରୁଣା ସେଣ୍ଟ୍ରାଲ୍ ଆଇସିୟୁର ୧୦ ବେଡ୍କୁ ୩୦କୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ସେହି ଅନୁଯାୟୀ କର୍ମଚାରୀ, ଡାକ୍ତରଙ୍କୁ ନିଯୁକ୍ତ କରିବାକୁ ସରକାର କୌଣସି ତତ୍ପରତା ଦେଖାଇଲେ ନାହିଁ। ଆନାସ୍ଥେସିଆ ବିଭାଗ ଅଧୀନରେ ସେଣ୍ଟ୍ରାଲ୍ ଆଇସିୟୁ ଆସୁଥିଲେ ବି ଗତ କିଛି ଦିନ ତଳେ ବିଭାଗର ୨ଜଣ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ସମସ୍ୟା ଆହୁରି ଜଟିଳ ହୋଇପଡ଼ିଥିଲା। ତେବେ ଜଣଙ୍କୁ ପଦୋନ୍ନତି ଓ ଅନ୍ୟଜଣଙ୍କୁ ବଦଳି କରାଯାଇ ଏହି ଖାଲି ପଦ ପୂରଣ କରାଯାଇପାରିଛି। ଏପଟେ ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଗୁରୁତରମାନଙ୍କୁ ପ୍ରଥମ ୧୦ ବେଡ୍ରେ ରଖାଯାଉଥିଲା ବେଳେ ଅନ୍ୟମାନଙ୍କୁ ବେଡ୍ ଥିଲେ ବି ତାହାର ସୁବିଧା ମିଳିପାରୁନାହିଁ। ଏବେବି ଆଇସିୟୁ ପାଇଁ ଶହସ୍ରାଧିକ ରୋଗୀ ଲାଇନ୍ରେ ଅଛନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ସେଣ୍ଟ୍ରାଲ୍ ଆଇସିୟୁର ସଂପ୍ରସାରଣ ବ୍ଲକ୍ ନିର୍ମାଣ କରାଯାଇଥିଲା, ବର୍ତ୍ତମାନ ସୁଦ୍ଧା ତାହାକୁ ପୂରଣ କରାଯାଇପାରିଲା ନାହିଁ। ଫଳରେ ୨୦ ବେଡ୍ ସହ ୨୦ ଭେଣ୍ଟିଲେଟର ଏବେ ବ୍ୟବହାର ନହୋଇ ପଡ଼ିରହିଛି। ଏହାକୁ ନେଇ ଆନାସ୍ଥେସିଆ ବିଭାଗ ସହିତ ମେଡିକାଲ୍ କର୍ତ୍ତୃପକ୍ଷ ମଧ୍ୟ ଚିନ୍ତାରେ ପଡ଼ିଗଲେଣି।
ପୂର୍ବରୁ ଆଇସିୟୁ ମନିଟର ଯୋଗାଇ ଦେବାକୁ ମେଡିକାଲ୍ କର୍ତ୍ତୃପକ୍ଷ ଓଏସ୍ଏମ୍ସିଏଲ୍ ଜରିଆରେ ଏକ ଘରୋଇ କମ୍ପାନି ସହ ଆଲୋଚନା କରିଥିଲେ। ସ୍ୱାଇନ୍ ଫ୍ଲୁ’ ବ୍ୟାପିବା ସମୟରେ ଉକ୍ତ କମ୍ପାନି ୭ଟି ପାରାମନିଟର ଯୋଗାଇ ଦେଇଥିଲା। ବର୍ତ୍ତମାନ ଉକ୍ତ ମନିଟର୍କୁ ସେଣ୍ଟ୍ରାଲ୍ ଆଇସିୟୁରେ ବ୍ୟବହାର କରାଯିବାକୁ ଚିନ୍ତା କରାଯାଇଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଅନୁମତି ମଗାଯାଇଛି। ଏଥିସହିତ ୨୦ ବେଡ୍ ପାଇଁ ଆଉ ୨୦ ମନିଟର କିଣାଯିବା ପରେ ଉକ୍ତ ୭ମନିଟର ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡକୁ ଫେରାଇ ଦିଆଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍ଗୋ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଉପରେ ସହମତି ଦିଆଗଲେ କିଛି ବେଡ୍ କାର୍ଯ୍ୟକ୍ଷମ ହୋଇପାରିବ। ସେହିପରି ୨୦ ବେଡ୍ କାର୍ଯ୍ୟକ୍ଷମ କରିବାକୁ ହେଲେ ଆଉ ଅଧିକ ଡାକ୍ତର, ନର୍ସିଂ କର୍ମଚାରୀ ଓ ଆଟେଣ୍ଡାଣ୍ଟଙ୍କ ଆବଶ୍ୟକତା ରହିଛି। ସେଥିପାଇଁ ମଧ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଯେତେଶୀଘ୍ର ସରକାର ଉକ୍ତ ପଦବିଗୁଡ଼ିକୁ ପୂରଣ କରାଇବେ ଓ ଆଇସିୟୁ ମନିଟର ଯୋଗାଇଦେବେ, ସେତେଶୀଘ୍ର ସଂପ୍ରସାରିତ ୨୦ ବେଡ୍ ମଧ୍ୟ ରୋଗୀଙ୍କ ସେବାରେ ଲାଗିପାରିବ ବୋଲି ଅଧୀକ୍ଷକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/sc.jpg)