ଭୁବନେଶ୍ବର: ରାଉରକେଲାରେ ବ୍ୟାପିଥିବା ଡାଇରିଆ ଥମୁନାହିଁ। ଡାଇରିଆକୁ କିଭଳି ରୋକାଯିବ ତାହାକୁ ନେଇ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢ଼ିଗଲାଣି। ହେଲେ ଏହା ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଘଟଣା ନୁହେଁ, ରାଜ୍ୟରେ ପ୍ରତିବର୍ଷ ଛୋଟବଡ଼ ହୋଇ ଅତିକମ୍ରେ ୨୦ଟି ଡାଇରିଆ ଆଉଟ୍ବ୍ରେକ୍ ଦେଖାଦେଉଛି। ଗତ ୩ବର୍ଷର ଆକ୍ବ୍ୟୁଟ୍ ଡାଇରିଆ ଡିଜିଜ୍(ଏଡିଡି)ର ପରିସଂଖ୍ୟାନରୁ ଏଭଳି ଚିନ୍ତାଜନକ ତଥ୍ୟ ମିଳିଛି। ଉପକୂଳ ହେଉ ବା ପଶ୍ଚିମ, ଉତ୍ତର ହେଉ ବା ଦକ୍ଷିଣ, ଓଡ଼ିଶାର ସବୁ ଜିଲ୍ଲାରେ ପ୍ରତିବର୍ଷ କେଉଁ ନା କେଉଁ ମାସରେ ଡାଇରିଆ ବ୍ୟାପୁଛି। ଏଥିରେ ଶତାଧିକ ଲୋକ ଆକ୍ରାନ୍ତ ହେବା ସହିତ ମୁଣ୍ଡ ଗଡ଼ୁଛି। ଡାଇରିଆ ବ୍ୟାପିବା ପଛରେ ଦୂଷିତ ପାଣି ଓ ଖାଦ୍ୟ ପ୍ରମୁଖତାରେ ରହିଛି। ବିଶେଷକରି ଦୂଷିତ ପାଣି ଯୋଗୁଁ ପ୍ରତିବର୍ଷ ଏଭଳି ପରିସ୍ଥିତି ଉପୁଜୁଥିବା ଜଣାପଡ଼ିଛି। ଏବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଜଳର ଗୁଣବତ୍ତା ପରୀକ୍ଷା ପାଇଁ ୭୭ଟି ପରୀକ୍ଷାଗାର ଥିବା ବେଳେ ଏଠାରେ ପାଣିର ପରୀକ୍ଷା ହେଉଛି ନା ନାହିଁ? ଯଦି ନିୟମିତ ବ୍ୟବଧାନରେ ପରୀକ୍ଷା ହେଉଛି, ତେବେ ଡାଇରିଆ କିଭଳି ବ୍ୟାପୁଛି?
ଏମିତିରେ ବି ରାଜ୍ୟରେ ଡାଇରିଆର ଇତିହାସ ବେଶ୍ ପୁରୁଣା। ବ୍ୟାକ୍ଟେରିଆ, ଭୂତାଣୁ, ଫଙ୍ଗସ୍ ଓ କୃମି ଆଦି କାରଣରୁ ଡାଇରିଆ(ଏଡିଡି) ହୋଇଥାଏ। ବିଷାକ୍ତ ପାଣି, ପରିମଳ ବ୍ୟବସ୍ଥାର ଅଭାବ, ଠିକ୍ରେ ହାତ ନ ଧୋଇବା ଓ ଅନେକ ପାରମ୍ପରିକ ଖାଦ୍ୟ ଗ୍ରହଣ ଭଳି କାରଣ ପାଇଁ ଡାଇରିଆ ବ୍ୟାପିଥାଏ। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍ସିଡିସି) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର, ବରଗଡ଼, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ବାଲେଶ୍ବର, ବଲାଙ୍ଗୀର, କଟକ, ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରତିବର୍ଷ ଡାଇରିଆ ବ୍ୟାପୁଛି। ୨୦୨୧ ମସିହାରେ ୧୦, ୨୦୨୨ରେ ୨୬ ଓ ୨୦୨୩(ଅକ୍ଟୋବର ପର୍ଯ୍ୟନ୍ତ) ୨୬ ଡାଇରିଆ ଆଉଟ୍ବ୍ରେକ୍ ନଜରକୁ ଆସିଛି। ଏଥିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ନ ମିଳିବା ଯୋଗୁଁ ମୃତ୍ୟୁ ହେଉଛି।
ରାଜ୍ୟରେ ୨୦୧୩ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଜଣେ ହେଲେ ବି କଲେରା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ତେବେ ୨୦୧୮ ମସିହାରେ ରାଜ୍ୟରେ ୩ଜଣ କଲେରାରେ ଆକ୍ରାନ୍ତ ବାହାରିଥିଲେ। ରାଜ୍ୟରେ ବଡ଼ ଧରଣର ଡାଇରିଆ ଆଉଟ୍ବ୍ରେକ୍ ପଛରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ରହିଛି। ରାୟଗଡ଼ାର କାଶୀପୁରରେ ଏହା ବିଷମ ପରିସ୍ଥିତି ସୃଷ୍ଟି କରିଥିଲା। ଚଳିତବର୍ଷ ରାଉରକେଲାରେ ମଧ୍ୟ ସମାନ ସ୍ଥିତି ନଜରକୁ ଆସିଲାଣି। ଗତ ୪ବର୍ଷରେ ରାଜ୍ୟରେ କଲେରା ଓ ଡାଇରିଆ ଡିସେଣ୍ଟ୍ରିରେ ୧୦୪୭ ଜୀବନ ଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି।
ଏସ୍ସିବି ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ପ୍ରଫେସର ଡା.ଧରିତ୍ରୀ ମହାପାତ୍ରଙ୍କ କହିବାନୁଯାୟୀ, ଡାଇରିଆ ବ୍ୟାପିବାର କୌଣସି ନିର୍ଦ୍ଦିଷ୍ଟ ମାସ କିମ୍ବା ସମୟ ନାହିଁ। ଯେହେତୁ ଦୂଷିତ ପାଣି କିମ୍ବା ଖାଦ୍ୟ ଯୋଗୁଁ ଏହା ବ୍ୟାପିଥାଏ ଏ ଦୃଷ୍ଟିରୁ ବର୍ଷର କେଉଁ ସମୟରେ ବି ଏହାକୁ ଦେଖିବାକୁ ମିଳିପାରେ। ପାଣିରେ ଦୀର୍ଘଦିନ ପର୍ଯ୍ୟନ୍ତ ଭିବ୍ରିଓ କଲେରା ରହିପାରେ। ତେଣୁ ପରିମଳକୁ ବିଶେଷ ଧ୍ୟାନ ଦେବାକୁ ହେବ। ପାଣି ପରୀକ୍ଷା କରିବାର ମଧ୍ୟ କିଛି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ନାହିଁ। ଯଦି ଜଣେ ଦୂଷିତ ପାଣି ବୋଲି ସନ୍ଦେହ କରୁଛନ୍ତି ତାହାଲେ ଏହାର ପରୀକ୍ଷା କରାଇନେବା ଉଚିତ୍ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।
ଅପରପକ୍ଷରେ ରାଜ୍ୟରେ ଜଳର ଗୁଣବତ୍ତା ପରୀକ୍ଷା ପାଇଁ ରାଜ୍ୟସ୍ତରରେ ଗୋଟିଏ, ଜିଲ୍ଲାରେ ୩୦ଟି ଓ ଉପଖଣ୍ଡସ୍ତରରେ ୪୬କୁ ମିଶାଇ ସମୁଦାୟ ୭୭ଟି ଜଳ ପରୀକ୍ଷାଗାର ସ୍ଥାପନ କରାଯାଇଛି। ପ୍ରତ୍ୟେକ ପରୀକ୍ଷାଗାରରେ ବର୍ଷକୁ ୩ହଜାର ସଂଖ୍ୟକ ଜଳ ନମୁନା ପରୀକ୍ଷା କରାଯାଉଥିବା ସରକାର ଦାବି କରୁଛନ୍ତି। କେବଳ ସେତିକି ନୁହେଁ, ଜଳର ରସାୟନିକ ପରୀକ୍ଷା ସହିତ ଜୀବାଣୁ ଜନିତ ପରୀକ୍ଷା କରାଯାଇ ଆବଶ୍ୟକ ପ୍ରତିଷେଧକ ପୂର୍ବକ ବିଶୁଦ୍ଧ ପାନୀୟ ଜଳ ଯୋଗାଉ ଦିଆଯାଉଥିବା ରାଜ୍ୟ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ସୂଚନା ଦେଇଥିଲେ।
ଏହାସହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ଙ୍କୁ କ୍ଷେତ୍ରସ୍ତରୀୟ ଟେଷ୍ଟ କିଟ୍(ଏଫ୍ଟିକେ) ମଧ୍ୟ ପ୍ରଦାନ କରାଯାଉଛି। ଏଥିରେ ଜଳର ରସାୟନିକ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। ଏହାସହ ବୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ସଂଯୁକ୍ତ ଜଳ ବିଶୋଧନାଗାରରେ ପାନୀୟ ଜଳର ମାନ ନିର୍ଦ୍ଧାରଣ କରାଯିବାର ବ୍ୟବସ୍ଥା ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି। ଜଳର ଗୁଣବତ୍ତା ପରୀକ୍ଷା ପାଇଁ ଏତେ ବ୍ୟବସ୍ଥା ରହିବା ସତ୍ତ୍ବେ କେଉଁ ପରିସ୍ଥିତିରେ ରାଜ୍ୟରେ ପ୍ରତିବର୍ଷ ଡାଇରିଆ ବ୍ୟାପୁଛି ତାହା ବିଶେଷଜ୍ଞମାନଙ୍କୁ ଚକିତ କରିଛି।