ଫିକ୍ସିଂ ଅଭିଯୋଗ ପରେ ବଦଳିବ ୨୦ଟି ଯୁକ୍ତ ୨ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ପାଇଁ ସ୍ଥିରୀକୃତ ୨୦ଟି କେନ୍ଦ୍ର ପରିବର୍ତ୍ତନ କରାଯିବ। ଫିକ୍ସିଂ ଅଭିଯୋଗ ହେବା ପରେ ପରୀକ୍ଷା ପରିଚାଳନା କମିଟିର ସଦସ୍ୟଙ୍କ ଅସନ୍ତୋଷ ପରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ପ୍ରାୟ ୨୦ଟି ପରୀକ୍ଷା କେନ୍ଦ୍ର ବଦଳାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ପରୀକ୍ଷା କେନ୍ଦ୍ର ଫିକ୍ସିଂ ନେଇ ଅଭିଯୋଗ ହୋଇଥିଲା। କମିଟିର ସଦସ୍ୟ ସନ୍ତୋଷ ସିଂ ସାଲୁଜା ଓ କିଶୋର ମହାନ୍ତି ଅଭିଯୋଗ କରିଥିଲେ। ପୂର୍ବରୁ ପରୀକ୍ଷା ପରିଚାଳନା କମିଟିର ସଦସ୍ୟ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ପରୀକ୍ଷା ପରିଚାଳନା କମିଟିର ବିନା ଅନୁମତିରେ ପରୀକ୍ଷା କେନ୍ଦ୍ର ଚୟନ ହୋଇଛି। ଜାନୁଆରି ୧୬ ଓ ୧୭ରେ ବସିଥିବା ବୈଠକରେ ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ ହୋଇ ନ ଥିଲା। କମିଟିର ସଦସ୍ୟମାନେ କହିଥିଲେ ଯେ ୨୦୧୯ରେ ଯେଉଁ ପରୀକ୍ଷା କେନ୍ଦ୍ରଗୁଡ଼ିକ ବିରୋଧରେ ଅଭିଯୋଗ ନାହିଁ, ଜଣେ ବି କପି କରି ଧରାପଡ଼ି ନାହାନ୍ତି ସେଠାକାର ପରୀକ୍ଷା କେନ୍ଦ୍ରକୁ ପରିବର୍ତନ କରା ନ ଯାଉ। ତେବେ ପରିଷଦ ପକ୍ଷରୁ ଉକ୍ତ ଦୁଇ ଦିନର ଆଲୋଚନାକୁ ଗ୍ରହଣ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା ଏବଂ ପରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଗତ ୭ ତାରିଖରେ ଡକାଯାଇଥିବା ବୈଠକରେ ପୂର୍ବ ବୈଠକର ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା। ଏଥିରେ ଦେଖିବାକୁ ମିଳିଥିଲା ଯେ କିଛି କଲେଜର ପରୀକ୍ଷା କେନ୍ଦ୍ର ପରିବର୍ତନ ହୋଇଛି। ଯାହାକୁ ବିରୋଧ କରି କମିଟିର ସଦସ୍ୟମାନେ ପଳାଇ ଆସିଥିଲେ।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଥିଲେ ଯେ ସରକାରଙ୍କ ଗାଇଡଲାଇନ୍‌ରେ ରହିଛି ଯେ ପ୍ରଥମେ ସରକାରୀ କଲେଜରେ ପରୀକ୍ଷା କେନ୍ଦ୍ର କରାଯିବ। ଏହାପରେ ବେସରକାରୀ କଲେଜରେ ସେଲ୍‌ଫ ଫାଇନାନ୍‌ସିଂ କଲେଜର ପରୀକ୍ଷା କେନ୍ଦ୍ର ହେବ। ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ କରିବା ପାଇଁ ୧୬ ଓ ୧୭ ତାରିଖରେ ବୈଠକ ଡକାଯାଇଥିଲା। ତେଣୁ ସେଥିରେ ଯାହା ସ୍ଥିର ହୋଇଥିଲା ତାହାକୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ସେହି ଅନୁଯାୟୀ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ୭ ତାରିଖରେ ଡକାଯାଇଥିବା ବୈଠକ ପରୀକ୍ଷା କେନ୍ଦ୍ର ପାଇଁ ନ ଥିଲା। କେତେକ ସେଲ୍‌ଫ ଫାଇନାନ୍‌ସିଂ କଲେଜ ବେସରକାରୀ କଲେଜରେ ସେମାନଙ୍କ ପରୀକ୍ଷା କେନ୍ଦ୍ର କରିବାକୁ ଚାପ ପକାଉଛନ୍ତି।

ଏହି ପ୍ରସଙ୍ଗରେ ଓଡ଼ିଶା ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ଵାରସ୍ଥ ହୋଇ ନିରପେକ୍ଷ ତଦନ୍ତ ଦାବି କରିଛି। ଯାହାକୁ ଗ୍ରହଣ କରି କମିସନଙ୍କ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ତଲବ କରାଯାଇଛି।

ସମ୍ବନ୍ଧିତ ଖବର