ବ୍ରହ୍ମପୁର/ଗୋପାଳପୁର : ଛତ୍ରପୁର ବ୍ଲକ୍ ମହାନଦପୁର ଗ୍ରାମପଞ୍ଚାୟତର ମହାନଦପୁର ଗ୍ରାମ। ଏହି ଗ୍ରାମର ୨୦ରୁ ଅଧିକ ପରିବାର ଦୀର୍ଘ ବର୍ଷ ହେଲା ବିଭିନ୍ନ କାରଣରୁ ବ୍ରହ୍ମପୁର ସହରରେ ରହି ଆସୁଛନ୍ତି। ସହରରେ ରହି ବି ସେମାନେ ଗାଁ କଥା ଭୁଲିନାହାନ୍ତି। ଏହି ପରିବାର ଏକାଠି ହୋଇ ଗାଁର ବିକାଶ ଲାଗି ଅଣ୍ଟା ଭିଡ଼ିଛନ୍ତି।
ଆଜି ଗୋପାଳପୁର ନିକଟସ୍ଥ ନୂଆବକ୍ସିପଲ୍ଳୀ ସ୍ଥିତ ଜଗନ୍ନାଥମନ୍ଦିର ଠାରେ ଏହି ପରିବାର ଏକାଠି ହୋଇଥିଲେ। ସେଠାରେ ମହାନଦପୁର ପ୍ରବାସୀ ନାଗରିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗାଁ ବିକାଶ ଉପରେ ଆଲୋଚନା ହୋଇଥିଲା। ମହାନଦପୁର ଗ୍ରାମ ଓ ସଂଲଗ୍ନ ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି ପାଇଁ ବିଭିନ୍ନ ପଦକ୍ଷେପ ନେବା ଲାଗି ଏଥିରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ତଥା ଗ୍ରାମର ବରିଷ୍ଠ ନାଗରିକ ଲକ୍ଷ୍ମୀଚରଣ ପାଣିଗ୍ରାହୀ ଏବଂ ପୀତାମ୍ବର ପାଣିଗ୍ରାହୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ମହାନଦପୁର ଗ୍ରାମର ବାସିନ୍ଦା ତଥା ଦିବ୍ୟଜୀବନ ସଂଘ ଭୁବନେଶ୍ବର ଶାଖାର ଉପସଭାପତି ବିପ୍ରଚରଣ ପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସଂଯୋଜକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ରମାକାନ୍ତ ପାଣିଗ୍ରାହୀ, ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ମହେଶ୍ବର ପାଣିଗ୍ରାହୀ, ଦେବଦତ୍ତ ପାଣିଗ୍ରାହୀ, ଗୋପାଳକୃଷ୍ଣ ପଣ୍ଡା ଓ ପ୍ରକାଶ ଚନ୍ଦ୍ର ପ୍ରାଣିଗ୍ରାହୀ ଏହି ମହାସମ୍ମିଳନୀରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଜାରି ରଖିବାକୁ ଅଶୋକ କୁମାର ପାତ୍ର, ରଜନୀକାନ୍ତ ପାଣିଗ୍ରାହୀ, ଗୋପାଳକୃଷ୍ଣ ପଣ୍ଡା, ଦେବଦତ୍ତ ପାଣିଗ୍ରାହୀ, ଆଦିତ୍ୟ କୁମାର ପାଣିଗ୍ରାହୀ ଓ ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ପ୍ରମୋଦ ଚନ୍ଦ୍ର ପାତ୍ର ସଂଳାପ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କାର୍ଯ୍ୟକ୍ରମର ପୃଷ୍ଠପୋଷକ ଡ.ଶ୍ରୀନିବାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/IMG-20210404-WA0078_10.jpg)