ହୀରାକୁଦର ୨୦ ଗେଟ୍‌ ଖୋଲା, ମଙ୍ଗଳବାର ମୁଣ୍ଡଳିରେ ବଢ଼ିବ ଜଳପ୍ରବାହ

ସମ୍ବଲପୁର : ସୋମବାର ବି ହୀରାକୁଦ ବନ୍ଧର ୨୦ଟି ଗେଟ୍‌ ଖୋଲା ରଖାଯାଇ ଜଳଭଣ୍ଡାରର ଜଳସ୍ତର ପ୍ରାୟ ୬୨୫.୫ ଫୁଟ୍‌ରେ ସ୍ଥିର ରଖାଯାଇଛି। ହୀରାକୁଦର ଜଳସ୍ତର ସୋମବାର ସକାଳ ୬ଟାରେ ୬୨୫. ୫୬ ଫୁଟ୍‌, ସକାଳ ୯ଟାରେ ୬୨୫.୫୬ ଫୁଟ୍‌, ଦିନ ୧୨ଟାରେ ୬୨୫.୫୪ ଫୁଟ୍‌, ଦିନ ୩ଟାରେ ୬୨୫.୫୨ ଫୁଟ୍‌, ସଂଧ୍ୟା ୬ଟାରେ ୬୨୫.୫୦ ଓ ରାତି ୯ଟାରେ ୬୨୫.୪୫ ଫୁଟ୍ ରହିଥିଲା। ରାତି ୯ଟା ବେଳକୁ ଜଳଭଣ୍ଡାର ମଧ୍ୟକୁ ୩,୧୦,୨୩୬ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ୩,୪୨,୦୦୩ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ତନ୍ମଧ୍ୟରୁ ବାମ ପାର୍ଶ୍ବ ସ୍ପିଲ୍‌ୱେ’ର ୧୪ ଓ ଡାହାଣ ପାର୍ଶ୍ବର ୬ଟି ସ୍ଲୁଇସ୍ ଗେଟ୍ ଦେଇ ୩,୨୧,୮୬୦ କ୍ୟୁସେକ୍‌, ପାୱାର ଚାନେଲକୁ ୧୮,୪୭୧ କ୍ୟୁସେକ୍‌, ବିଭିନ୍ନ କେନାଲ‌ ଦେଇ ୧୫୦୨ କ୍ୟୁସେକ୍‌, ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡ ବେଲଗାଁରେ ୫୧,୪୦୦ କ୍ୟୁସେକ୍‌, ପଥର୍ଲାରେ ୧,୪୭,୧୨୦ କ୍ୟୁସେକ୍‌, ଖଇରମାଳରେ ୫ ଲକ୍ଷ ୬୯ ହଜାର କ୍ୟୁସେକ୍‌, ବରମୂଳରେ ୬ ଲକ୍ଷ ୩୭ ହଜାର କ୍ୟୁସେକ୍‌, ମୁଣ୍ଡଳିରେ ୭ ଲକ୍ଷ ୬୮ ହଜାର ୫୦୮ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ରବିବାର ଦିନ ୧ଟା ଭିତରେ ହୀରାକୁଦର ୨୦ ଗେଟ୍‌ ଖୋଲା ଯାଇଥିବାବେଳେ ଏହା ବରମୂଳରେ ପହଞ୍ଚି ସାରିଛି। ମଙ୍ଗଳବାର ସକାଳେ ଏହା ମୁଣ୍ଡଳିରେ ପହଞ୍ଚିବ। ତେଣୁ ମଙ୍ଗଳବାର ମଧ୍ୟାହ୍ନରେ ମୁଣ୍ଡଳି ଦେଇ ୮ରୁ ୧୦ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୫.୪୯ ମିମି ଓ ତଳ ମୁଣ୍ଡରେ ୬.୧୮ ମିମି ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର