ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ରବିବାର ପୂର୍ବାହ୍ଣ ୧୦ଟାରୁ ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ଖୋଲାଯାଇଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ଘଣ୍ଟା ପରେ ଆହୁରି ୮ ଗେଟ୍ ଖୋଲାଯାଇଛି। ଏଥିରେ ବାମପାର୍ଶ୍ବର ୧୩ ଏବଂ ଡାହାଣ ପାର୍ଶ୍ବର ୭ଟି ଗେଟ୍ ରହିଛି। ପ୍ରଥମ ଦିନର ପାଣି ନିଷ୍କାସନ ପରେ ହୀରାକୁଦରୁ ଖଇରମାଳକୁ ୧୨ରୁ ୧୬ ଘଣ୍ଟା, ହୀରାକୁଦରୁ ବରମୂଳକୁ ୨୪ରୁ ୩୨ ଘଣ୍ଟା, ହୀରାକୁଦରୁ ମୁଣ୍ଡଳିକୁ ୩୬ରୁ ୪୮ ଘଣ୍ଟା ସମୟ ଲାଗିବ ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତଳମୁଣ୍ଡରେ ବର୍ଷା ଅଧିକ ନଥିବାରୁ ଏତେ ସଂଖ୍ୟାରେ ଗେଟ୍ ଖୋଲିବା ଯୋଗୁଁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୦. ୦୦ ଫୁଟ ଥିବାବେଳେ ରବିବାର ସକାଳେ ପ୍ରଥମେ ଗେଟ୍ ନମ୍ବର ୭ ଖୋଲା ଯାଇଥିଲା। ଏହି ସମୟରେ ଜଳଭଣ୍ଡାରକୁ ୨ ଲକ୍ଷ ୨୮ ହଜାର ୦୮୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୫୭ ହଜାର ୨୦୮ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ପ୍ରତି ସ୍ପିଲ୍ୱେ ଦେଇ ୧ ଲକ୍ଷ ୧୮ ହଜାର ୮୮୦ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ଜଳଭଣ୍ଡାରରୁ ୩୪ ହଜାର ୮୭୧ କ୍ୟୁସେକ୍ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, କେନାଲରେ ୩୨୨୩ କ୍ୟୁସେକ୍ ଏବଂ କଳକାରଖାନା ପାଇଁ ୨୩୪ କ୍ୟୁସେକ୍ ଛଡ଼ାଯାଉଛି। ସମାନ ସମୟରେ ବେଲଗାଁରେ ୧୦ ହଜାର ୪୦୦ କ୍ୟୁସେକ୍, ପଥର୍ଲାରେ ୩୫ ହଜାର ୬୧୭ କ୍ୟୁସେକ୍, ଖଇରମାଲରେ ୭୮ ହଜାର କ୍ୟୁସେକ୍, ବରମୂଳରେ ୮୪ ହଜାର କ୍ୟୁସେକ୍ ଏବଂ ମୁଣ୍ଡଳିରେ ୧ ଲକ୍ଷ ୨୯ ହଜାର ୮୩୫ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଇବ୍ ନଦୀରେ ୩୦୬ ମିଲିମିଟର, ଭେଡ଼େନ ନଦୀରେ ୧୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅର୍ଥାତ ଜଳଭଣ୍ଡାରର ଉପରମୁଣ୍ଡରେ ୫୬.୯୮ ମିମି ଏବଂ ତଳମୁଣ୍ଡରେ ହାରାହାରି ୧୮.୫୮ ମିମି ବର୍ଷା ହୋଇଛି। ବର୍ଷା ବଢ଼ିଚାଲିବାରୁ ଅପରାହ୍ଣ ପ୍ରାୟ ୩ଟା ବେଳକୁ ଆଉ ୮ଟି ଗେଟ୍ ଖୋଲିବା ପାଇଁ ଆଦେଶ ହୋଇଥିଲା। ଆସନ୍ତାକାଲି ଏହିଭଳି ବର୍ଷା ଜାରି ରହିଲେ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ପୂଜାପାଠ ସହିତ ଆଜି ଗେଟ୍ ଖୋଲାଯିବାବେଳେ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ହୀରାକୁଦ ନଦୀବନ୍ଧରେ ସମୁଦାୟ ୯୮ଟି ଗେଟ୍ ରହିଛି। ଏଥିମଧ୍ୟରୁ ୬୪ଟି ସ୍ଲୁଇସ୍ ଗେଟ୍ ଏବ˚ ୩୪ଟି କ୍ରେଷ୍ଟ ଗେଟ୍ ରହିଛି। ହୀରାକୁଦ ନଦୀବନ୍ଧର ସବୋର୍ଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ। ଏହି ସମୟରେ ସ୍ଲୁଇସ୍ ଗେଟ୍ ଦେଇ ସବୋର୍ଚ୍ଚ ୧୬ ହଜାର ୪୪୦ କ୍ୟୁସେକ୍ ଏବ˚ କ୍ରେଷ୍ଟ ଗେଟ୍ ଦେଇ ୧୬ ହଜାର ୨୩୮କ୍ୟୁସେକ୍ ପାଣି ନିଷ୍କାସିତ ହୁଏ। ଗତବର୍ଷ ଜଳଭଣ୍ଡାରରୁ ପାଣି ନିଷ୍କାସନର ପ୍ରଥମ ଦିନରେ ୨୦ ଗେଟ୍ ଖୋଲା ଯାଇଥିଲା।