ଝାରସୁଗୁଡ଼ା: ଚଳିତ ମୌସୁମୀରେ କଲ୍‌ମା ବ୍ୟାରେଜରୁ ବି‌ଶେଷ ଜଳ ନିଷ୍କାସିତ ହୋଇନଥିବା ବେଳେ ସୋମବାର ସନ୍ଧ୍ୟାରେ ୨୦ଟି ଗେଟ୍‌ ଖୋଲାଯାଇଛି। ଗେଟ୍‌ଗୁଡ଼ିକ ୦.୫ ମିଟର ଲେଖାଏଁ ଖୋଲାଯାଇ ସେଥିରେ ଜଳ ନିଷ୍କାସନ କରାଯାଉଛି। ଫଳସ୍ବରୂପ ଶୁଖିଲା ପଡ଼ିଥିବା ମହାନଦୀରେ ଜଳପ୍ରବାହ ଦେଖିବାକୁ ମିଳିଛି। ଯଦିଓ ବର୍ତ୍ତମାନ ସୁଦ୍ଧା ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ମୌସୁମୀ ବର୍ଷା ମାତ୍ରାଧିକ ହୋଇନାହିଁ, ତଥାପି ବନ୍ୟା ଆଶଙ୍କାକୁ ଆଖି ଆଗରେ ରଖି ଏହି ଜଳ ନିଷ୍କାସନ କରାଯାଇଥିବା ଜଣାପଡ଼ିଛି।

Advertisment

ଆଜି ସକାଳ ୮ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୦.୩୯ ଫୁଟ ରହିଥିଲା। ଏହିସମୟରେ ଜଳଭଣ୍ଡାରକୁ ୧୨,୩୧୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୧,୫୮୮ କ୍ୟୁସେକ ନିଷ୍କାସିତ ହେଉଥିଲା। ସେହିପରି ଦିନ ୧୨ଟା ବେଳେ ଜଳଭଣ୍ଡାରର ଜଳସ୍ତର ୬୦୦.୪୧ ଫୁଟ୍‌ ରହିଥିବା ବେଳେ ସେ ସମୟରେ ଜଳପ୍ରବେଶ ୮,୩୫୨ କ୍ୟୁସେକ୍‌କୁ ହ୍ରାସ ପାଇଥିଲା। ସନ୍ଧ୍ୟା ୫ଟା ବେଳେ ଜଳସ୍ତର ୬୦୦.୪୩ ଫୁଟ୍‌ରେ ପହଞ୍ଚିଥିବାବେଳେ ସେ ସମୟରେ ୧୫,୯୩୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିବା ଜଣାପଡ଼ିଛି। କିଛିଦିନ ପୂର୍ବରୁ କଲ୍‌ମା ବ୍ୟାରେଜରେ ଯଥାକ୍ରମେ ୭ଟି ଓ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଆରମ୍ଭ କରିଥିଲା।