କଟକ,(ଚିରଂଜୀବ କର): ଓଡ଼ିଶା ପୁଲିସ ରେକର୍ଡରେ ଗଲା ୧୩ ବର୍ଷ ଭିତରେ ପୁଲିସ ହାଜତରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ରହିଛି। କିନ୍ତୁ ଓଡ଼ିଶାର ବନ ବିଭାଗ ଇତିହାସରେ ପ୍ରଥମ ଥର ହାଜତ ମୃତ୍ୟୁ ଅଭିଯୋଗ ଆସିଛି। କିନ୍ତୁ ସମୁଦ୍ର ଭିତରେ ମତ୍ସଜୀବୀଙ୍କୁ ଗୁଳି କରିବା ଭଳି ୫ରୁ ଅଧିକ ଅଭିଯୋଗ ବିନ ବିଭାଗ କର୍ମଚାରୀଙ୍କ ବିରୋଧରେ ରହିଛି। କିନ୍ତୁ ଏତେସବୁ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଘଟଣା ଏବେ ଉଦ୍ବେଗର କାରଣ ହୋଇଛି।
ଓଡ଼ିଶା ପୁଲିସ ହାଜତମୃତ୍ୟୁର ୧୯ଟି ଘଟଣାରେ ଏଯାଏ ମାତ୍ର ଜଣେ ପୁଲିସ ଇନସ୍ପେକ୍ଟର ଗିରଫ ହୋଇଛନ୍ତି। ଡିଏସପି ପାହ୍ୟା ପର୍ଯ୍ୟନ୍ତ ଅଫିସରଙ୍କ ବିରୋଧରେ ହାଜତରେ ପିଟି ପିଟି ହତ୍ୟା କରିବା ଅଭିଯୋଗ ଥିବା ବେଳେ ସେମାନଙ୍କୁ ଓଡ଼ିଶା ପୁଲିସ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ୁଥିବା ବେଳେ ସମାନ ପରିସ୍ଥିତି ଏବେ ଜଂଗଲ ବିଭାଗରେ ଧନେଶ୍ବରଙ୍କ କ୍ଷେତ୍ରରେ ସୃଷ୍ଟି ହେବାର ଆଶଙ୍କା କରାଯାଉଛି।
/sambad/media/post_attachments/wp-content/uploads/2023/02/hazat-750x430.jpg)
ତଥ୍ୟ ଅନୁଯାୟୀ ୨୦୨୦ରେ ୨ଟି ହାଜତ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ମାମଲା ରୁଜୁ ହୋଇଥିଲା। ସେଥିରେ କେହି ପୁଲିସ ଅଧିକାରୀ ଗିରଫ ହୋଇ ନାହାନ୍ତି କି ଚାର୍ଜସିଟ୍ କାହା ବିରୋଧରେ ଦାଖଲ ହୋଇନାହିଁ। ୨୦୧୯ରେ ପୁଲିସ ହାଜତରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୪ଟି ମାମଲା ରୁଜୁ ହୋଇଥିବା ବେଳେ କୌଣସି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇନାହିଁ କି କେହି ଗିରଫ ହେଇ ନାହାନ୍ତି। ୨୦୧୮ରେ ୨ଟି ହାଜତ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ମାମଲା ରୁଜୁ ହୋଇଛି। ଗୋଟିଏ ମାମଲାରେ ପୁଲିସ ଗିରଫ ହୋଇଥିଲା। କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନାରେ ୨୦୧୮ ଅଗଷ୍ଟ ୨୫ରେ ଅବିନାଶ ପାଇଟାଳ ଓରଫ ମୂଷାକୁ ହତ୍ୟା ଅଭିଯୋଗରେ ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରା ୨୦୧୯ ଡିସେମ୍ବରରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିଲେ।
୨୦୧୭ରେ ୨ଟି ମୃତ୍ୟୁ ହୋଇଥିବା ବେଳେ ଦୁଇଟି ମାମଲା ରୁଜୁ ହୋଇଛି। ଗୋଟିଏ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ କେହି ଗିରଫ ହୋଇନାହାନ୍ତି। ୨୦୧୭ ଜାନୁଆରିରେ ଆକାଶ ମହୁରିଆକୁ ଜୟପୁର ଟାଉନ୍ ଥାନା ପୁଲିସ ହତ୍ୟା ଅଭିଯୋଗରେ ଦୁଇ ଜଣ ଡିଏସପି ଓ ଜଣେ ଏସଆଇ ପାହ୍ୟାର ଅଧିକାରୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ୨୦୨୧ ନଭେମ୍ବରରେ ମାମଲା ରୁଜୁ କରିଥିଲା। ୨୦୧୫ରେ ୩ଟି ମୃତ୍ୟୁ ହୋଇଥିବା ବେଳେ ସମସ୍ତ ଘଟଣାରେ ମାମଲା ରୁଜୁ ହୋଇଛି। ୧୦ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି। କିନ୍ତୁ କେହି ଗିରଫ ହୋଇ ନାହାନ୍ତି। ୨୦୧୪ରେ ଗୋଟିଏ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଆଦୌ ମାମଲା ରୁଜୁ ହେଇନାହିଁ। ୨୦୧୩ରେ ଗୋଟିଏ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ମାମଲା ରୁଜୁ ହୋଇଛି। କିନ୍ତୁ ଚାର୍ଜସିଟ୍ ଦାଖଲ ହୋଇନାହିଁ। ୨୦୧୨ରେ ୩ଟି ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ସମସ୍ତ ଘଟଣାରେ ମାମଲା ରୁଜୁ ହୋଇଛି। ସବୁ ମାମଲାରେ ଯଦିଓ ଚାର୍ଜସିଟ୍ ଦାଖଲ ହୋଇଛି, କିନ୍ତୁ କୌଣସି ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ୨୦୧୦ରୁ ୨୦୧୧ ଭିତରେ ଗୋଟିଏ ହାଜତ ମୃତ୍ୟୁ ମାମଲା ରୁଜୁ ହୋଇଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ।
/sambad/media/post_attachments/wp-content/uploads/2022/06/firing-ff.jpg)
ବନ ବିଭାଗରେ ଯଦିଓ ହାଜତ ମୃତ୍ୟୁ ଅଭିଯୋଗ ପ୍ରଥମ ଥର ଆସିଛି, କିନ୍ତୁ ମତ୍ସଜୀବୀଙ୍କୁ ଗଭୀର ସମୂଦ୍ର ଭିତରେ ଗୁଳି ମାରି ହତ୍ୟା କରିବାର କଳଙ୍କିତ ଇତିହାସ ବନ ବିଭାଗର ରହିଛି। ୨୦୨୨ ସେପ୍ଟେମ୍ବରରେ ଚାନ୍ଦିପୁର ନିକଟ ସମୁଦ୍ରରେ ବାଲେଶ୍ବର କଶାଫଳର କମଳ ଲୋଚନ ମାଝୀଙ୍କୁ ଗୁଳି ମାଡ଼ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ୨୦୧୯ ଜାନୁଆରିରେ କେନ୍ଦ୍ରାପଡ଼ା ଗହୀରମଥାରେ ନାରାୟଣପୁରର ମାୟାଧର ମଲ୍ଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ୨୦୧୪ ଜାନୁଆରିରେ ଗହୀରମଥାରେ ସମୁଦ୍ରରେ ଜଣେ ମତ୍ସଜୀବୀ ସେକ୍ ଆକବର ବନ ବିଭାଗ କର୍ମଚାରୀଙ୍କ ଗୁଳିରେ ମୃତ୍ୟୁ ହୋଇଥିଲା। ରାଜଗନର ବ୍ଲକ ଡାଙ୍ଗମାଳର ଆକବରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ମତ୍ସ୍ୟଜୀବୀଙ୍କ ଦେହରେ ବି ଗୁଳି ବାଜିଥିଲା। ଜମ୍ବୁ ଥାନାରେ ବନ କର୍ମଚାରୀଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଥିଲା। ୨୦୦୬ ଜାନୁଆରିରେ କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ନିକଟରେ ମାଛ ମାରୁଥିବା ବେଳେ ପଶ୍ଚିମବଙ୍ଗର ଗଣେଶ ଦାସଙ୍କର ବନ ବିଭାଗ କର୍ମଚାରୀଙ୍କ ଗୁଳିରେ ମୃତ୍ୟୁ ହୋଇଥିଲା। ସେହି ବର୍ଷ ନଭେମ୍ବରରେ ଗହୀରମଥା ନିକଟରେ ମାଛ ମାରୁଥିବା ବେଳେ ବାଲେଶ୍ବର ଜିଲ୍ଲା ରମେଶ ସୋରେନଙ୍କୁ ବି ବନ ବିଭାଗ କର୍ମଚାରୀ ଗୁଳି ମାରିଥିଲେ। ଏଥିରେ ରମେଶ ଗୁରୁତର ଆହତ ହୋଇଥିଲେ। ସେହିବର୍ଷ ଡିସେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିକାଶ ବିଶ୍ବାସ ମାଛ ମାରି ଫେରୁଥିବା ବେଳେ ଗହୀରମଥା ନିକଟରେ ବନ ବିଭାଗ କର୍ମଚାରୀଙ୍କ ଗୁଳିରେ ମୃତ୍ୟୁ ହୋଇଥିଲା। ପ୍ରତ୍ୟେକ ଗୁଳିକାଣ୍ଡ ଘଟଣାରେ ବନ ବିଭାଗ ବିବାଦୀୟ ହୋଇପଡ଼ିଥିଲା। ଅନେକ ସ୍ଥାନରେ ମତ୍ସଜୀବୀମାନେ ବନ ବିଭାଗ କର୍ମଚାରୀଙ୍କୁ ମାଛ ନଦେବାରୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ ମାମଲାର ତଦନ୍ତ ହୋଇଥିବା ବେଳେ ବନ କର୍ମଚାରୀଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଦୁର୍ବଳ ଚିତ୍ର ଦେଖିବାକୁ ମିଳିଛି।