ପାରଳାଖେମୁଣ୍ଡି : ଅବିରାମ ବର୍ଷା। ଚାରିଆଡ଼େ ଖାଲି ପାଣି ଆଉ ପାଣି। ଗତ ୨୨ତାରିଖ ସନ୍ଧ୍ୟାରୁ ଗଜପତି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। କେଉଁଠି ଘର ଭିତରେ ପାଣି ପଶି ଗଲାଣି ତ ଆଉ କେଉଁଠି ପାହାଡ଼ ଧସି ଘର ଭାଙ୍ଗି ଗଲାଣି। ବିଭିନ୍ନ ଅଞ୍ଚଳରେ ଘାଇ ସୃଷ୍ଟି ହୋଇ ରାସ୍ତାଘାଟ ବିଚ୍ଛିନ୍ନ ହୋଇଗଲାଣି। ଦୁଇ ଦିନ ହେଲା ବର୍ଷା ଛାଡ଼ିବାର ନାଁ ନେଉ ନା ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଜିଲ୍ଲାର ରାୟଗଡ଼ ବ୍ଲକରେ ଆଜି ସର୍ବାଧିକ ୧୪୧ ମିଲିମିଟର ବର୍ଷା ହୋଇଥିବା ବେଳେ ମୋହନା ବ୍ଲକରେ ସର୍ବନିମ୍ନ ୫୩.୪୦ ମିଲିମିଟର ବର୍ଷା ହୋଇଛି। ସେହିପରି କାଶୀନଗରରେ ୮୧ ମିଲିମିଟର, ପାରଳାଖେମୁଣ୍ଡିରେ ୮୩ ମିଲିମିଟର, ଗୁମ୍ମାରେ ୧୪୦ ମିଲିମିଟର, ନୂଆଗଡ଼ରେ ୯୫.୮୦ମିଲିମିଟର, ଆର. ଉଦୟଗିରିରେ ୧୦୫.୨୦ ମିଲିମିଟର, ମୋହନା ୫୩.୪୦ ମିଲିମିଟର, ଗୋଷାଣୀରେ ୧୦୫ ମିଲିମିଟର ବର୍ଷା ହୋଇଛି। ଲଗାତାର ବର୍ଷା ଯୋଗୁଁ ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ପଞ୍ଚାୟତର କୁଲଙ୍ଗ ଗ୍ରାମରେ ଆଜି ଭୋର ସକାଳ ୭ଟା ସମୟରେ ମୁଖଲିଙ୍ଗ ପର୍ବତର କିଛି ଅଂଶ ଧସି ଯାଇଥିଲା। ଏଥିରେ ଗ୍ରାମର ୨୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବାବେଳେ ଆଉ ୨୫ଟି ଘର ନଷ୍ଟ ହୋଇଥିବା ଜଣାପଡିଛି। ଏଥିସହ ଦେଢ଼ଶହରୁ ଅଧିକ ଗାଈ ଓ ଛେଳିର ପ୍ରାଣ ହରାଇଛନ୍ତି। ତେବେ ଦିନବେଳା ଏଭଳି ଭୂସ୍ଖଳନ ହୋଇଥିବାରୁ ଏକ ବଡ଼ଧରଣର ଦୁର୍ଘଟଣାରୁ ଲୋକେ ବର୍ତ୍ତି ଯାଇଛନ୍ତି। ଏ ସମ୍ପର୍କରେ ବଡକଳାକୋଟ ସରପଞ୍ଚ ଅଗଷ୍ଟିସ ଗମାଙ୍ଗ ଏ ନେଇ ବ୍ଲକ ପ୍ରଶାସନକୁ ଖବର ଦେବାପରେ ବିଡିଓ ନଟବର ଗରଡ଼, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଉପାଧ୍ୟକ୍ଷ ଗୀତାଞ୍ଜଳି ରଇତ, ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମା ଘଟଣାସ୍ଥଳରେ ପହଞ୍ଚିଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଥିବାବେଳେ ଗ୍ରାମବାସୀଙ୍କୁ ସ୍ଥାନୀୟ ଚର୍ଚ୍ଚରେ ରଖାଯାଇ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସେହିପରି ଗୋଷାଣୀ ବ୍ଲକ ଲାବଣ୍ୟଗଡ଼ ଗ୍ରାମରେ କିଛି ଅଞ୍ଚଳରେ ବର୍ଷାପାଣି ପ୍ରବେଶ କରିଥିବା ସୂଚନା ମିଳିଛି। ନାଳ ପାଣି ରାସ୍ତା ପାର୍ଶ୍ବରେ ଥିବା କିଛି ଘର ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପଶି ଯାଇଛି । ସନ୍ଧ୍ୟାସୁଦ୍ଧା ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବା ଜଣାପଡିଛି। ତେବେ ପ୍ରଶାସନ ଏହା ଉପରେ ନଜର ରଖିଥିବା କୁହାଯାଇଛି।
ସମଗ୍ର ଜିଲ୍ଲାରେ ସନ୍ଧ୍ୟା ପର୍ଯ୍ୟନ୍ତ ଅବିରାମ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବାହାରକୁ କେହି ବାହାରି ପାରୁନାହାନ୍ତି। ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିଥିବା ବେଳେ ବ୍ୟାଙ୍କ ଓ ଡାକଘରରେ କାରବାର ମଧ୍ୟ ହ୍ରାସ ପାଇଛି। ବର୍ଷା ଯୋଗୁଁ ଗ୍ରାମାଞ୍ଚଳକୁ ପରିବହନ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଅନେକ କର୍ମଚାରୀ ସରକାରୀ କାର୍ଯ୍ୟାଳୟକୁ ଆସିପାରି ନାହାନ୍ତି।
ଲଗାଣ ବର୍ଷାଯୋଗୁଁ ଏବେ ସ୍ଥାନୀୟ ବ୍ୟବସାୟୀଙ୍କୁ ସର୍ବାଧିକ କ୍ଷତି ସହିବାକୁ ପଡ଼ିଛି। ଗଣେଶ ପୂଜାଠାରୁ ଦୀପାବଳି ପର୍ଯ୍ୟନ୍ତ ବଜାର ପୂରା ମାନ୍ଦା ସ୍ଥିତିରେ ରହିଛି ବୋଲି ସୂଚନା ଦେଇଛନ୍ତି ବ୍ୟବସାୟୀ ସଂଘର ବରିଷ୍ଠ ସଦସ୍ୟ ପି.ଲକ୍ଷ୍ମୀ ନାରାୟଣ। ଲୁଗା ବ୍ୟବସାୟୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀ ଏସ. ରବି କୁମାର କହିଛନ୍ତି। ରବିବାର ଦିନ ଦୀପାବଳି ରହିଥିବାରୁ ବାଣବେପାରୀ ମଧ୍ୟ ବଡ଼ କ୍ଷତି ସହିବା ନେଇ ଆଶଙ୍କାରେ ରହିଛନ୍ତି।