ବଳିଆରଗଡ଼ି ଗାଁରେ ୨୦ ବଖରା ପୋଡି ପାଉଁଶ

ପଣ୍ଡୁଆ/କାମାକ୍ଷାନଗର : କାମାକ୍ଷାନଗର ବ୍ଲକ୍‌ ବୁଢ଼ିବିଲି ପଞ୍ଚାୟତ ବଳିଆରଗଡ଼ି ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଏହି ବିପଦ ଗାଁର ୬ଟି ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାବେଳେ ଗାଁରେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ନିଆଁ ମାଡ଼ି ଚାଲିଲା। ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ସୂଚନା ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ସବୁକିଛି ଛାରଖାର୍‌ ହୋଇସାରିଥିଲା। ଅଗ୍ନିକାଣ୍ଡରେ ଗ୍ରାମର ସୁର ଦେହୁରୀଙ୍କର ୭ ବଖରା ଘର ପୋଡ଼ି ଯାଇଥିବାବେଳେ ଗୋଲେଖ ଖଟୁଆଙ୍କ ତିନି ପୁଅ ବଳରାମ ଖଟୁଆ, ସନ୍ତୋଷ ଖଟୁଆ ଏବଂ ଖାଡ଼ିରାମ ଖଟୁଆଙ୍କର ୧୦ ବଖରା, ଅକ୍ରୂର ଦେହୁରୀଙ୍କର ୨ ବଖରା, ନିରଞ୍ଜନ ଦେହୁରୀଙ୍କର ଗୋଟିଏ ବଖରା ଘର ଜଳିଯାଇଛି। ସୁୁର ଦେହୁରୀଙ୍କର ଧାନ ବିଡ଼ା ପୋଡ଼ିଯାଇଛି। ପିନ୍ଧିଥିବା ଲୁଗା ବ୍ୟତୀତ ବିପନ୍ନ ପରିବାର ଗୁଡ଼ିକ ନିଆଁ ମୁହଁରୁ କିଛି ବଞ୍ଚାଇ ପାରିନାହାନ୍ତି।

ସୁନିଆଁମାରୁ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ହୃଦାନନ୍ଦ ପରିଡ଼ା ଅଗ୍ନି ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସରକାରୀ ଆବାସ ଯୋଜନାରେ ତୁରନ୍ତ ବିପନ୍ନ ପରିବାରମାନଙ୍କୁ ଘର ଯୋଗାଇ ଦିଆଯିବାକୁ ଶ୍ରୀ ପରିଡ଼ା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର