କଟକ: ଓଲିଉଡର ୨୦ରୁ ଅଧିକ ଅଭିନେତ୍ରୀଙ୍କୁ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ଫଟୋ ବ୍ୟବହାର କରି ଅଶ୍ଳୀଳ ଭିଡିଓ କଲ୍ କରିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। କଟକ କମିସନରେଟ୍ ପୁଲିସର ସାଇବର୍ ଥାନା ପୁଲିସ ସଦର ଥାନା କୁଦ ସାହିର ମିଥୁନ ଭୋଇ(୨୮)କୁ ଗିରଫ କରିଛି। ମିଥୁନ ନିକଟରୁ ଦୁଇଟି ସିମ୍ କାର୍ଡ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ମିଥୁନ ଓଲିଉଡରେ ଖଳନାୟକ ଭାବେ ଅଭିନୟ କରୁଥିଲା। ତେବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ମିଥୁନ ଏଭଳି କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

Advertisment

ସୂଚନା ଅନୁଯାୟୀ, ଗଲା ୪ ମାସ ହେବ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଂଜୟ ନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଓ ଏକ ଘରୋଇ ଚ୍ୟାନେଲର ସିରିଏଲ୍ ଅଭିନେତା ସୁଦର୍ଶନ ସାହୁଙ୍କ ନାଁରେ ନକଲି ହ୍ବାଟସଆପ୍ ଆକାଉଣ୍ଟ ପ୍ରସ୍ତୁତ କରି କେହି ଦୁର୍ବୃତ୍ତ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରୁଥିଲା। ଏହି ତିନି ଜଣଙ୍କ ଫଟୋ ବ୍ୟବହାର କରି ତିନୋଟି ହ୍ବାଟସଆପ୍ ଆକାଉଣ୍ଟ ଖୋଲା ଯାଇଥିଲା। ଗଲା ୪ ମାସ ହେବ ଓଲିଉଡର ପ୍ରାୟ ୨୦ରୁ ଅଧିକ ଅଭିନେତ୍ରୀଙ୍କୁ ହ୍ବାଟସଆପରେ ଅଶ୍ଳୀଳ ଚାଟିଂ କରୁଥିଲା। ଏହା ସହିତ ଭିଡିଓ କଲ୍ କରି ଉଲଗ୍ନ ହେଉଥିଲା। ଯେହେତୁ ଉପରୋକ୍ତ ତିନି ଜଣଙ୍କ ଫଟୋ ହ୍ବାଟସଆପରେ ବ୍ୟବହାର ହୋଇଥିଲା, ଏଥିପାଇଁ ଏହି ତିନି ଜଣ ବିବାଦୀୟ ହୋଇପଡ଼ିଥିଲେ। ସଂଜୟ ନାୟକଙ୍କ ବିରୋଧରେ ଓଲିଉଡର ଅଭିନେତ୍ରୀମାନେ ଏକାଠି ହୋଇଥିଲେ। ଯାହା ଫଳରେ ଓଲିଉଡରେ ଗଲା ଜୁଲାଇରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

publive-image

ମେ ୨୯ ତାରିଖରେ ସିରିଏଲ୍ ଅଭିନେତା ସୁଦର୍ଶନ ସାହୁ କଟକ ସାଇବର୍ ଥାନାରେ ଏତଲା ଦେଇଥିଲେ। ସଂଜୟ ନାୟକ ମଞ୍ଚେଶ୍ବର ଥାନାରେ ଏ ସଂକ୍ରାନ୍ତରେ ଜୁନ ୧୧ ତାରିଖରେ ଅଭିଯୋଗ କରିଥିଲେ। ପରେ ସେହିଭଳି ମହାନଦୀ ବିହାରରେ ରହୁଥିବା ସୁଧାଂଶୁ ମୋହନ ସାହୁ ଜୁଲାଇ ୨୧ରେ ସାଇବର ଥାନାରେ ସମାନ ଘଟଣାକୁ ନେଇ ଅଭିଯୋଗ କରିଥିଲେ। ସୁଧାଂଶୁଙ୍କ ଅଭିଯୋଗ ଆଧାରେ ସାଇବର୍ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନକଲି ହ୍ବାଟସଆପ୍ ଆକାଉଣ୍ଟକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଥିଲା। ସାଇବର୍ ଥାନା ପକ୍ଷରୁ ହ୍ବାଟସଆପ୍ କର୍ତ୍ତୃପକ୍ଷଙ୍କୁ ଏ ନେଇ ତଥ୍ୟ ମଗାଯାଇଥିଲା। ଏହି ନମ୍ବରଗୁଡ଼ିକ ପାଇଁ ମିଥୁନ ନିଜ ପଡ଼ୋଶୀଙ୍କୁ ବ୍ୟବହାର କରିଥିଲା। ୫ ଜଣ ପଡ଼ୋଶୀଙ୍କ ପରିଚୟପତ୍ର ଓ ଫଟୋ ସଂଗ୍ରହ କରି ଏହାରି ବଳରେ ସିମ୍ କିଣିଥିଲା। ସେମାନଙ୍କ ଵାଇଫାଇ ବି ବ୍ୟବହାର କରୁଥିଲା। ଭିଡିଓ କଲ୍ ଓ ଚାଟିଂ ସମୟରେ ପଡ଼ୋଶୀଙ୍କ ଵାଇଫାଇ ବ୍ୟବହାର କରୁଥିଲା। ତେଣୁ ସହଜରେ ପୁଲିସର ସ୍କାନରକୁ ଆସି ପାରିନଥିଲା। ହ୍ବାଟସଆପ୍ କର୍ତ୍ତୃପକ୍ଷଙ୍କ ନିକଟରୁ ତଥ୍ୟ ମିଳିବା ପରେ ପୁଲିସ ମିଥୁନକୁ କାବୁ କରିଥିଲା। ତେବେ ମିଥୁନ ଧରାପଡ଼ିଥିବା ବେଳେ ସେମାନଙ୍କ ପଡ଼ୋଶୀଙ୍କ ଫଟୋ ଓ ପରିଚୟପତ୍ର ମିଥୁନ କିଭଳି ଚୋରି କରି ଆଣିଥିଲା ଏବଂ ଏହାକୁ ବ୍ୟବହାର କରୁଥିଲା, ସେ ନେଇ ପୁଲିସ ପଡ଼ୋଶୀଙ୍କୁ ପଚରାଉଚରା ଆରମ୍ଭ କରିଛି।