ଟ୍ରକ ପଛକୁ ଧକ୍କା ଦେଲା ବସ୍‌, ୨୦ ଆହତ

ଛତ୍ରପୁର : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଠାକୁରାଣୀ ମନ୍ଦିର ଛକ ୧୬ ନମ୍ବର ଜାତୀୟ ରାଜପଥରେ ସିଲକ୍‌ ସିଟି ନାମକ ଯାତ୍ରୀବାହୀ ବସ୍‌ ଏକ ଟ୍ରକ୍‌ ପଛକୁ ଧକ୍କା ଦେବାରୁ ବସ୍‌ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ପାଇ ଗଞ୍ଜାମ ଥାନା ପୁଲିସ ଓ ସ୍ଥାନୀୟ ଲୋକେ ଆହାତଙ୍କୁ ଉଦ୍ଧାର କରି ଗଞ୍ଜାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ବାଲିଗୁଡ଼ା ଅ‌ଞ୍ଚଳ ନିବାସୀ ତଥା ଭୁବନେଶ୍ବର ସମ୍ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ସସ୍ମିତା ପାତ୍ର, ଭୁବନେଶ୍ବରର ରମା ସାହୁ, ଲଙ୍ଗଳେଶ୍ବରର ପୂଜା କୁମାରୀ ମଲ୍ଲିକ ଗୁରୁତର ଥିବାରୁ ସେମାନଙ୍କୁ ଛତ୍ରପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଲଙ୍ଗଳେଶ୍ବର ଗ୍ରାମର ରଞ୍ଜନ ମଲ୍ଲିକ, ପଥରାର ସୁରେନ୍ଦ୍ର ଜାଲି, ବସ୍‌ ଡ୍ରାଇଭର ଗୋପାଳପୁର ଅ‌ଞ୍ଚଳର ସଞ୍ଜୟ ଦାଶ, କଣ୍ଡକ୍ଟର ଆସିକାର ଟିକିନା ମାଝୀଙ୍କ ସମେତ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଅପରାହ୍ନରେ ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବସ୍(ଓଡି-୧୫-ଇ-୬୪୫୬) ଭାରସାମ୍ୟ ହରାଇ ସେହି ଦିଗରେ ଯାଉଥିବା ଏଚ୍ଆର୍–୫୫ ଏଜି –୧୯୮୫ ନମ୍ବର ଏକ ଟ୍ରକ ପଛକୁ ଧକ୍କା ଦେଇଥିଲା। ବସ୍‌ ଡ୍ରାଇଭର ସଞ୍ଜୟଙ୍କ କହିବା ଅନୁଯାୟୀ, ଅଗସ୍ତିନୂଆଗାଁ ଠାକୁରାଣୀ ମନ୍ଦିର ନିକଟରେ ଟ୍ରକ୍ ସମ୍ମୁଖକୁ ହଠାତ୍‌ କିଛି ଗାଈ ଆସି ଯିବାରୁ ଟ୍ରକ ଚାଳକ ବ୍ରେକ୍ ମାରିଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ମଧ୍ୟ ହଠାତ୍ ପଳାଇ ଆସିଥିଲା। ବସ୍‌ର ବେଗ ଅତି ବେଶି ଥିବାରୁ ଯାତ୍ରୀଙ୍କ ଜୀବନ ସୁରକ୍ଷା ସହ ବସ୍‌କୁ ନିୟନ୍ତ୍ରଣ କରିବାକୁ ଯାଇ ସେ ବାରମ୍ବାର ବ୍ରେକ୍ ମାରିବା ସତ୍ତ୍ବେ ଟ୍ରକ୍ ପଛକୁ ବସ୍‌ ଧକ୍କା ହୋଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର