ଚାଲି ଚାଲି ବିହାର ଯାଉଥିବା ୨୦ ଶ୍ରମିକଙ୍କୁ ଅଟକାଇଲା ପୁଲିସ

କାଳିଆପାଣି: କାଳିଆପାଣି ଥାନା ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲା ସୀମାନ୍ତ ଗାଁ କୁମାରଡିହରେ ଆଜି ସଂଧ୍ୟା ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିହାର ମୁହାଁ ୨୦ ଜଣ ଅଣଓଡ଼ିଆ ଠିକା ଶ୍ରମିକ ବ୍ୟାଗ୍ ଓ ଗଣ୍ଠିଲି ଧରି ଚାଲି ଚାଲି ଖଣିଅଞ୍ଚଳ ଆଡ଼କୁ ପ୍ରବେଶ କରୁଥିବା ବେଳେ କାଳିଆପାଣି ପୁଲିସ ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଅଟକାଇଛି। ସମସ୍ତେ କୁମାରଡିହ ଗାଁରେ ଅଟକ ଥିବା ସୂଚନା ମିଳିଛି। କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଶ୍ରମିକଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ସହ ସଂପୃକ୍ତ ନିଯୁକ୍ତିଦାତା ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି। ନିଯୁକ୍ତିଦାତା ସେମାନଙ୍କୁ କ୍ୟାମ୍ପକୁ ଫେରାଇନେବା ଯୋଜନା କରୁଥିବା ସୂଚନା ମିଳିଛି।

ଶ୍ରମିକଙ୍କ ଅଭିଯୋଗରୁ ପ୍ରକାଶ ଯେ, ୨୦ ଜଣ ବିହାରୀ ଯୁବକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିଝାଟି ରାମକୃଷ୍ଣପୁର ଗାଁରେ ଗତ ତିନିମାସ ଧରି ରହିଆସୁଛନ୍ତି। ୫୩ ନଂ ଜାତୀୟ ରାଜପଥ(ଡୁବୁରି-କାମାକ୍ଷାନଗର) ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ଠିକାଦାରୀ ସଂସ୍ଥା ବାଲାଜୀ କନଷ୍ଟ୍ରକ୍ସନ କମ୍ପାନିରେ ସାଧାରଣ ଶ୍ରମିକ ଭାବେ କାମ କରୁଥିବା ଏହି ଶ୍ରମିକମାନେ ମାସକ ତଳୁ ନିଜ ନିଜର ପୈତୃକ ସ୍ଥାନ ବିହାର ରାଜ୍ୟ କଟିହାର ଜିଲ୍ଲାର ବିଭିନ୍ନ ଗାଁକୁ ଫେରିବା ଦାବି କରି ଆସୁଥିଲେ। ହେଲେ କରୋନା କଟକଣା ଓ ଲକଡାଉନ ସ୍ଥିତିରେ ନିଯୁକ୍ତିଦାତାଙ୍କ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା କିମ୍ବା ସହଯୋଗ ମିଳିନଥିଲା ବୋଲି ଶ୍ରମିକ ପ୍ରତିନିଧି ଭୋଲା ଶାହା ଅଭିଯୋଗ କରନ୍ତି। ଏପରିକି ଏଯାବତ୍ ପ୍ରବାସୀ ଆଶାୟୀ ତାଲିକାରେ ସେମାନଙ୍କ ନାଁ ପଞ୍ଜୀକୃତ ହୋଇନଥିବା ନେଇ ଶ୍ରମିକମାନେ କ୍ଷୋଭ କରିଥିଲେ। ଶେଷରେ ଆଜି ସେମାନେ କାମ ପରେ ମଉକା ଦେଖି କ୍ୟାମ୍ପ୍ ଛାଡ଼ି ପଳାଇ ଆସିଥିଲେ।

ଘଟଣା ସଂପର୍କରେ ପୁଲିସ ଉକ୍ତ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ସତ୍ୟ ନାରାୟଣ ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ଶ୍ରମିକମାନେ ଘର ଫେରିବା ଜିଦ୍ରେ କ୍ୟାମ୍ପ୍ରେ ଆଜି କଳି ଝଗଡ଼ା କରିଥିଲେ ବୋଲି କହିଥିଲେ। ଏପରିକି ପୂର୍ବରୁ ଏମିତି ସମାନ ପ୍ରକାର ଗଣ୍ଡଗୋଳ ପାଇଁ କମ୍ପାନି ପକ୍ଷରୁ ଘଟଣା ସଂପର୍କରେ ଭୁବନ ପୁଲିସ, ତହସିଲଦାର ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସାମୟିକ ସମାଧାନ ଉଦ୍ୟମ ହୋଇଥିଲା ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଆଜି ଶ୍ରମିକଙ୍କ ମେସ୍ ପରିଚାଳନା ପାଇଁ ଅଗ୍ରିମ ୧୦ ହଜାର ଟଙ୍କା ଦିଆଯାଇଥିଲା। ଏହି ଟଙ୍କା ହାତରେ ପଡ଼ିବା ପରେ ଶ୍ରମିକମାନେ ଘର ଫେରିବା ଆଭିମୁଖ୍ୟରେ ନଛୋଡ଼ବନ୍ଧା ଥିଲେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର