ବାରିପଦା/ବଡ଼ସାହି: ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଋଣ କରାଇ ଦେବା ନାଁରେ ୨ ଜଣ ମହିଳା ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ବଡ଼ସାହି ଥାନାରେ ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ହଞ୍ଜଳିଡିଆ ଗ୍ରାମରେ ଏକ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ରହିଛି। ଏହି ଗୋଷ୍ଠୀର ସଦସ୍ୟା ସୀତା ହାଁସଦାଙ୍କ ଅଭିଯୋଗ ଅନୁଯାୟୀ ସୁମତୀ ମନ୍ତ୍ରୀ ଓ ସୁକାନ୍ତୀ ରାଉତ ନାମ୍ନୀ ଦୁଇ ମହିଳା ସେମାନଙ୍କୁ ଲକ୍ଷାଧିକ ଟଙ୍କା ଋଣ କରାଇ ଦେବାକୁ ପ୍ରବର୍ତ୍ତାଇ ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ନେଇଥିଲେ। ପରେ ଜାଲ୍ ଦସ୍ତଖସ୍ତ ମାଧ୍ୟମରେ ସେମାନଙ୍କ ନାଁରେ ୨୦ ଲକ୍ଷ ଟଙ୍କାରୁ ଅଧିକ ଋଣ ଉଠାଇ ନେଇଥିଲେ।
ଏବେ ଋଣ ପରିଶୋଧ କରିବାକୁ ଉକ୍ତ ସ୍ବୟଂସହାୟକ ଗୋଷ୍ଠୀକୁ ଋଣ ପ୍ରଦାନକାରୀ ଘରୋଇ ସଂସ୍ଥା ପକ୍ଷରୁ ବାରମ୍ବାର ତାଗିଦ୍ କରାଯାଉଛି ଓ ଧମକଚମକ ଦିଆଯାଉଛି। ଉକ୍ତ ସଂସ୍ଥାର କର୍ମଚାରୀଙ୍କ ସହାୟତାରେ ଏହି ଦୁଇ ମହିଳା ଟଙ୍କା ଆତ୍ମସାତ କରିଛନ୍ତି ବୋଲି ଶ୍ରୀମତୀ ହାଁସଦା ଅଭିଯୋଗ କରିଛନ୍ତି। ଏ ନେଇ ଗତକାଲି ଗୋଷ୍ଠୀର ସମସ୍ତ ସଦସ୍ୟା ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୨୮୫/୨୦୨୨ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ପରେ ୨ ମହିଳା ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରଭୂକଲ୍ୟାଣ ଆଚାର୍ଯ୍ୟ କହିଛନ୍ତି।