ସ୍ବଚ୍ଛ ଭାରତ ଯୋଜନାରେ କେଳେଙ୍କାରୀ, ୨୦ ଲକ୍ଷ ଟଙ୍କାର ହିସାବ ମିଳୁନି

ବାରିପଦା: ଦେଶକୁ ସ୍ବଚ୍ଛ ଓ ସୁନ୍ଦର କରିବା ନିମନ୍ତେ ୨୦୧୪ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବଛ ଭାରତ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରତି ଘରେ ଶୌଚାଳୟ ନିର୍ମାଣ ପାଇଁ ୧୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। କିନ୍ତୁ ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରେ ଅଧିକାଂଶ ଘରେ ଶୌଚାଳୟ ନଥିବା ବେଳେ କାଗଜକଲମରେ ଶୌଚାଳୟ ନିର୍ମାଣ ହୋଇଛି। ୨୦ ଲକ୍ଷ ଟଙ୍କାର ହିସାବ ମିଳୁ ନଥିବାରୁ ଜିଲ୍ଲାରେ ‌ଶୌଚାଳୟ ନିର୍ମାଣରେ  କେଳେଙ୍କାରୀ କରାଯାଇଥିବା  ସ୍ପଷ୍ଟ ହୋଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ) କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ; ସ୍ବଛ ଭାରତ ମିଶନ-୧ରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ମୋଟ୍ ୪ ଲକ୍ଷ ୭୮ ହଜାର ୫୧୬ଟି ଶୌଚାଳୟ ନିର୍ମାଣ ହୋଇଛି। ଏହି କାମ  ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧୀନରେ ରହିଥିଲା।

ଶୌଚାଳୟ ନିର୍ମାଣରେ ମୋଟ୍ ୫୭୪ କୋଟି ୨୧ ଲକ୍ଷ ୯୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ତା’ପରେ ଏହି ଦାୟିତ୍ବ ଜଳ ଓ ପରିମଳ ବିଭାଗ ବଦଳରେ ଡିଆର୍‌ଡିଏକୁ ଦିଆଯାଇଥିଲା। ଡିଆର୍‌ଡିଏ ଦାୟିତ୍ବ ନେବା ପରେ ସ୍ବଛ ଭାରତ ମିଶନ-୨ରେ ୨୦୨୦ରୁ ୨୦୨୨ ଜୁନ୍‌ ମାସ ସୁଦ୍ଧା ୧୫ ହଜାର ୩୮୧ଟି ଶୌଚାଳୟ ନିର୍ମାଣ ହୋଇଛି। ଏଥି ନିମନ୍ତେ ୧୮ କୋଟି ୪୫ ଲକ୍ଷ ୭୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏମିତି ୨୦୧୪ରୁ ୨୦୨୨; ୮ ବର୍ଷରେ ମୟୂରଭଞ୍ଜ ଜିଲ୍ଲାରେ ସ୍ବଚ୍ଛ ଭାରତ ମିଶନ ଶୌଚାଳୟ ନିର୍ମାଣରେ ମୋଟ ୫୮୨ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।  ଏହି ଯୋଜନା ଆରମ୍ଭରେ ଶୌଚାଳୟ ନିର୍ମାଣ ଦାୟିତ୍ବ ବିଡିଓମାନଙ୍କ ଉପରେ ସମ୍ପୂର୍ଣ୍ଣ ନ୍ୟସ୍ତ କରାଯାଇଥିଲା। ଏହି କ୍ରମରେ ପଞ୍ଚାୟତସ୍ତରରେ କେଉଁ ଗାଁ’ରେ ଏବଂ କାହା ଘରେ ଶୌଚାଳୟ ହେବ; ସେନେଇ ନିର୍ବାହୀ ଅଧିକାରୀ ଓ ସରପଞ୍ଚମାନେ ତାଲିକା କରି ବିଡିଓଙ୍କୁ ଦେଇଥିଲେ। ବିଡିଓଙ୍କଠାରୁ ଅନୁମୋଦନ ଆସିବା ପରେ ଶୌଚାଳୟ ନିର୍ମାଣ ହୋଇଥିଲା। କହିବାକୁ ଗଲେ ପଞ୍ଚାୟତସ୍ତରରେ ନିର୍ବାହୀ ଅଧିକାରୀ ଓ ସରପଞ୍ଚମାନେ ଏହି ସବୁ କଥା ବୁଝୁଥିଲେ।

ଅଫିସର ଓ ସରପଞ୍ଚମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ଅଧିକାଂଶ ଘରେ ଶୌଚାଳୟ ନିର୍ମାଣ ହୋଇ ନାହିଁ। କେଉଁଠି ଅଧା କାମ ହୋଇଛି ତ ଆଉ କେଉଁଠି ପୁରୁଣା ଶୌଚାଳୟରେ ରଙ୍ଗ ମାରି ଫଟୋ ଉଠାଇ ଟଙ୍କା ଉଠାଯାଇଛି। ପୁରୁଣା ଶୌଚାଳୟରେ ରଙ୍ଗ ମାରି ଟଙ୍କା ଉଠାଇବା କୌଶଳଟି ବେଶୀ ମାତ୍ରାରେ ପ୍ରୟୋଗ କରାଯାଇଥିବା ଜଣାପଡ଼ିଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଶିମିଳିପାଳ ପାଦଦେଶରେ ଥିବା ନହଙ୍ଗାପଡ଼ା ଗାଁ’ର ଦିବାକାର ମାରାଣ୍ଡିଙ୍କ ଘରେ। ସେ ନିଜ ଖର୍ଚ୍ଚରେ ଗତ ୨୦୧୨ ମସିହାରେ ଶୌଚାଳୟ ନିର୍ମାଣ କରିଥିଲେ। ତେବେ ତାଙ୍କ ଶୌଚାଳୟରେ ରଙ୍ଗ ମାରି ୧୨ ହଜାର ଟଙ୍କା ଉଠାଯାଇଛି। କେବଳ ରଙ୍ଗ ମାରି ଦୁଇଥର ଟଙ୍କା ଉଠା ହୋଇଛି। ଏଥି ନିମନ୍ତେ ଦିବାକରଙ୍କୁ ଶୌଚାଳୟ ପିଛା ୨ ହଜାର ଟଙ୍କା ଦିଆଯାଇଥିବା ଜଣାପଡ଼ିଛି। ସେହିପରି ଉକ୍ତ ଗାଁ’ର ଅନାଦି ମହାନ୍ତଙ୍କ ଶୌଚାଳୟ ନାହିଁ। ହେଲେ ତାଙ୍କ ନାଁରେ ଟଙ୍କା ଉଠିଛି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନାରୁ ଜଣାପଡ଼ିଛି।

କେବଳ ଏହି ଦୁଇଟି ଘଟଣା ନୁହେଁ; ଉଚ୍ଚସ୍ତରୀୟ ତଦନ୍ତ କଲେ ଶୌଚାଳୟ ନିର୍ମାଣରେ ଯେ ଅନେକ କେ‌ଳେଙ୍କାରୀ ହୋଇଛି, ତାର ପର୍ଦ୍ଦାଫାସ୍‌ ହୋଇପାରନ୍ତା। ସବୁଠାରୁ ବଡ଼କଥା ହେଲା; ସବୁ ଜାଣି ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଅପରପେକ୍ଷ ଜିଲ୍ଲା ବାହ୍ୟମଳମୁକ୍ତ ହେବାକୁ ଯାଉଥିବା ଜିଲ୍ଲା ପ୍ରଶାସନ କହିଚାଲିଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇ ଜିଲ୍ଲା ପ୍ରଶାସନ ବାହାବା ନେବାକୁ ଉଦ୍ୟମ କରୁଛି। ସ୍ବଛ ଭାରତ ଯୋଜନା ଶୌଚାଳୟ ନିର୍ମାଣ ନାଁରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ବେଳେ ୨୦ ଲକ୍ଷ ଟଙ୍କାର ହିସାବ ମିଳୁ ନଥିବା ଲୋକାଲ୍‌ ଅଡିଟ୍ ରିପୋର୍ଟରୁ ସୂଚନା ମିଳିଛି। ଅଡିଟ୍ ରିପୋର୍ଟରୁ ସିନା ୨୦ ଲକ୍ଷ ଟଙ୍କାର ହିସାବ ମିଳୁନି, ହେଲେ ଶୌଚାଳୟ ନିର୍ମାଣ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅଫିସର ଓ ସରପଞ୍ଚଙ୍କ ଦ୍ବାରା ହୋଇଥିବା କେଳେଙ୍କାରୀ ୨୦ କୋଟିରୁ ଅଧିକ ହେବା ପକ୍କା। ଦେଖାଯାଉ ଏନେଇ ଜିଲ୍ଲା ପ୍ରଶାସନ କ’ଣ କରୁଛି। ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ସରକାର ଦେଉଛନ୍ତି କି ନାହିଁ। ଆଉ ମୟୂରଭଞ୍ଜ ଜିଲ୍ଲାର ତଥାକଥିତ ସାମାଜିକ କର୍ମୀ ଓ ସମାଜସେବୀଙ୍କ ଆଗାମୀ କାର୍ଯ୍ୟପନ୍ଥା କଣ ରହୁଛି।

ସମ୍ବନ୍ଧିତ ଖବର