ଭୁବନେଶ୍ବର: ସାଇବର ଅପରାଧ ବର୍ତ୍ତମାନ ସମାଜ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ଼ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି କଳିଙ୍ଗ ଷ୍ଟାଡିୟମ୍ରେ ରାଜ୍ୟସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ- ୨୦୨୫ର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରାୟ ୮୨ କୋଟି ଲୋକ ଅର୍ଥାତ୍ ୫୫% ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ବିଶ୍ୱରେ ଇଣ୍ଟରନେଟ୍ ବ୍ୟବହାରରେ ଭାରତ ଦ୍ୱିତୀୟରେ ରହିଛି। ଦୈନନ୍ଦିନ ଜୀବନରେ ସମସ୍ତେ ଡିଜିଟାଲ୍ ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ। ଇଣ୍ଟରନେଟ୍ ବ୍ୟବହାରୀକାରୀଙ୍କୁ ସାଇବର ଅପରାଧ, ଅନ୍ଲାଇନ୍ ଠକେଇ ଭଳି ଅପରାଧର ଶିକାର ହେବାକୁ ପଡୁଛି। ଏହି ଅପରାଧକୁ ରୋକିବା ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି। ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ ଓ ସାଇବର ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ହଜାର ହଜାର ଅଭିଯୋଗକାରୀଙ୍କୁ ଠିକ୍ ସମୟରେ ସହାୟତା ପ୍ରଦାନ କରାଯାଉଛି। ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବ୍ଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୁଲିସ ଷ୍ଟେସନ୍ କାର୍ଯ୍ୟକ୍ଷମ ହେବ। ଏହାସହ ପୂର୍ବରୁ ଥିବା ୧୪ଟି ସାଇବର ପୁଲିସ ଷ୍ଟେସନ୍ର ଆଧୁନିକୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଏ କ୍ଷେତ୍ର ପାଇଁ ୧୧୨୭ଟି ନୂତନ ପୁଲିସ ପଦବି ସହିତ ୧୭୦ ବୈଷୟିକ ବିଶେଷଜ୍ଞଙ୍କୁ ଖୁବ୍ଶୀଘ୍ର ନିଯୁକ୍ତି ଦିଆଯିବ। ଏଥିସହିତ କ୍ରାଇମବ୍ରାଞ୍ଚ ଅଧୀନରେ ଏକ ରାଜ୍ୟସ୍ତରୀୟ କମାଣ୍ଡ୍ ସେଣ୍ଟର ଗଠନ କରାଯିବ। ଏହି ସେଣ୍ଟରଟି ସାଇବର ଅପରାଧ ରୋକିବା କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।
ଆରମ୍ଭ ହେଲା ସାଇବର ସୁରକ୍ଷା ସଚେତନତା ଅଭିଯାନ
୧୧୨୭ ନୂତନ ପୁଲିସ ପଦବି ସହ ୧୭୦ ବୈଷୟିକ ବିଶେଷଜ୍ଞଙ୍କୁ ଖୁବ୍ଶୀଘ୍ର ନିଯୁକ୍ତି: ମୁଖ୍ୟମନ୍ତ୍ରୀ
କ୍ରାଇମବ୍ରାଞ୍ଚ ଅଧୀନରେ କାର୍ଯ୍ୟ କରିବ ଏକ ରାଜ୍ୟସ୍ତରୀୟ କମାଣ୍ଡ ସେଣ୍ଟର
୧ମାସ ପାଇଁ ୧୬ଟି ସଚେତନତା ରଥ ସବୁ ଜିଲ୍ଲାରେ ବୁଲିବ
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଅଧିକାଂଶ ସାଇବର ଠକାମୀର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ। ଏଥିପାଇଁ ଅନ୍ଲାଇନ୍, ଡିଜିଟାଲ୍ ଓ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ସତର୍କ ଓ ସଚେତନ ରହିବାକୁ ପଡ଼ିବ। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଆଜିଠାରୁ ଏହି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସାଇବର ଠକେଇର ବିଭିନ୍ନ ଦିଗ ଉପରେ ଲୋକଙ୍କୁ ସଚେତନ କରାଯିବ। ସେଥିପାଇଁ ଏହି ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ। ଇଣ୍ଟରନେଟ୍ ଜରିଆରେ ଝିଅମାନଙ୍କୁ ବ୍ଲାକ୍ମେଲିଂ ଓ ମାନସିକ ନିର୍ଯାତନା ଉପରେ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଓଡ଼ିଶା ପୁଲିସକୁ ଏଭଳି ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପଦକ୍ଷେପ ନ ନେଲେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ପୁଲିସକୁ ଧନ୍ୟବାଦ ଦେବା ସହ ସାଇବର ସୁରକ୍ଷା ବିଷୟରେ ସମସ୍ତେ ସଚେତନ ହେବା ଅତ୍ୟନ୍ତ ଜରୁରି ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୬ଟି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ରଥଗୁଡ଼ିକ ନୂଆପଡ଼ା ଜିଲ୍ଲାକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ୧ମାସ ଧରି ଲୋକଙ୍କୁ ସଚେତନ କରାଇବ। ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ସ୍ବାଗତ ଭାଷଣ ଓ କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଧନ୍ୟବାଦ ଦେଇଥିଲେ।