ଖୋଲିବ ଆଉ ୨୦ଟି ପାସପୋର୍ଟ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଖୁବ୍‌ ଶୀଘ୍ର ଆଉ ୨୦ଟି ପାସ୍‌ପୋର୍ଟ ସେବା କେନ୍ଦ୍ର ଖୋଲିବ। ଆସନ୍ତା ସପ୍ତାହରେ ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣାରେ ପାସ୍‌ପୋର୍ଟ କେନ୍ଦ୍ର ଖୋଲିବାକୁ ଥିବାବେଳେ ୨୦୧୮, ଜୁନ୍‌ ସୁଦ୍ଧା ବାକି ୧୭ଟି ପାସ୍‌ପୋର୍ଟ କେନ୍ଦ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଚି ସଚିବାଳୟରେ କେନ୍ଦ୍ର ପାସପୋର୍ଟ ସଚିବ ଧନେଶ୍ୱର ଏମ୍‌. ମୁଲେଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶ୍ରୀ ମୁଲେ କହିଛନ୍ତି ଯେ, ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିସା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଏବେ ବିଚରାଧୀନ ଅଛି। ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଆଲୋଚନା କରି ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ। ସେହିପରି ମାଲେସିଆରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପାସ୍‌ପୋର୍ଟ ସଚିବଙ୍କୁ ଅନୁରୋଧ କରିଛନ୍ତି। ଏପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଚିବ ବିନୟ ଶ୍ରୀକାନ୍ତ ପ୍ରଧାନ ଗତ ୨୩ତାରିଖରେ ମାଲେସିଆରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବାକୁ କ୍ୱାଲାଲମ୍ପୁରରେ ଅବସ୍ଥାପିତ ଡେପୁଟି ହାଇକମିସନର ନିଖିଲେଶ ଚନ୍ଦ୍ର ଗିରିଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସମ୍ବନ୍ଧିତ ଖବର