କୋଇଡ଼ା/ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଖଣି ଅଞ୍ଚଳ କୋଇଡ଼ା। କେବଳ ଭାରତ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କୋଇଡ଼ା ଲୁହାପଥରର ବେଶ୍ ଚାହିଦା ରହିଛି। ବିମଳାଗଡ଼, ଚୋରଧରା, ଡେଙ୍ଗୁଳା, ଗୋପନା, ଜାମୁଡିହି, କେ. ବଲାଙ୍ଗ, କାଲ୍ଟା, କୋଇଡା, ମାଲଦା, ପାଟମୁଣ୍ଡା, ଟେନ୍ସା, ସାନରକ୍ସି, କାଶିରା, ରେହ୍ଲାତୁ, ସୋୟମ୍ବା ଏମିତି ୧୫ ପଞ୍ଚାୟତକୁ ନେଇ ଗଠିତ କୋଇଡାରେ ବିକାଶ ନାଁରେ ଚାଲିଛି ବିନାଶ। ଖଣି ଉତ୍ତୋଳନ ପାଇଁ ହଜାରହଜାର ଆଦିବାସୀ ପରିବାର ବିସ୍ଥାପିତ ହେଲେଣି।
କୋଇଡ଼ା ଖଣି ମଣ୍ଡଳରେ ଶତାଧିକ ଖଣି କାର୍ଯ୍ୟକ୍ଷମ ଥିଲା। ଏବେ ଉକ୍ତ ସଂଖ୍ୟା ୩୩ରେ ପହଞ୍ଚିଛି। ଭାରତ ସରକାରଙ୍କ ସେଲ୍, ଓଡିଶା ଖଣି ନିଗମ ଆଦି ସରକାରୀ ସଂସ୍ଥା ସମେତ ଟାଟାଷ୍ଟିଲ୍, ମିତ୍ତଲ, ଜିନ୍ଦଲ, ଜେଏସ୍ଡବ୍ଲ୍ୟୁ, ରୁଙ୍ଗଟା, ବେଦାନ୍ତ, ଆଦାନୀ ଭଳି ବଡ଼ବଡ଼ କମ୍ପାନି ଉଚ୍ଚପ୍ରିମିୟମ ଦେଇ ଖଣି ଉତ୍ତୋଳନ ଓ ପରିବହନ କରୁଛନ୍ତି। ହେଲେ ଦୀର୍ଘ ୫୫ ବର୍ଷର ଖଣି ଉତ୍ତୋଳନ ପରେ ମଧ୍ୟ ଅଞ୍ଚଳବାସୀ ସର୍ବନିମ୍ନ ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଅଧିକାଂଶ ପଞ୍ଚାୟତବାସିନ୍ଦାଙ୍କ ପାଇଁ ଅପହଞ୍ଚ ହୋଇରହିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ଯେତିକି ଖଣି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ବିକାଶରେ ଖର୍ଚ୍ଚ ହେବା କଥା, ତାହା ହେଉନି। ଯାହା ବି ଖର୍ଚ୍ଚ ହେଉଛି, ତାହା ଆଦିବାସୀ ଲୋକଙ୍କ କାମରେ ଆସୁନି। ଉଭୟ ଜିଲ୍ଲା ପ୍ରଶାସନ ଓ ଖଣି ଉତ୍ତୋଳନ କରୁଥିବା ବଡ଼ବଡ଼ ସଂସ୍ଥା ଯେମିତି ଏମାନଙ୍କ ଦୁଃଖଦୁର୍ଦ୍ଦଶାକୁ ଭୁଲି ଯାଇଛନ୍ତି। ପୂର୍ବରୁ ଖଣିରେ ଯେଉଁସବୁ କାମ ମଣିଷ ଦ୍ବାରା କରାଯାଉଥିଲା, ତାହା ଏବେ ମେସିନ୍ ଦ୍ବାରା କରାଯାଉଛି। ଯାହାର ସିଧାସଳଖ ପ୍ରଭାବ ଖଣି ଉପରେ ନିର୍ଭରଶୀଳ ଆଦିବାସୀ ପରିବାରଙ୍କ ଜୀବନଜୀବିକା ଉପରେ ପଡ଼ିଛି। ବିଶେଷ କରି ଖଣି ଉପଦ୍ରୁତ ଅଞ୍ଚଳ ବିମଳାଗଡ଼, ଡେଙ୍ଗୁଳା, ଗୋପ୍ନା, ଜାମୁଡ଼ିହି, କେ. ବଲାଙ୍ଗ, କାଲ୍ଟା, କୋଇଡ଼ା, ମାଲଦା, ପାଟମୁଣ୍ଡା, ସାନରକ୍ସି, କାଶିରା, ରେହ୍ଲାତୁ, ସୋୟମ୍ବାରେ ଶହଶହ ପରିବାର କର୍ମସଂସ୍ଥାନ ହରାଇଛନ୍ତି। ଚାଷଜମି ନଥିବାରୁ ମାତ୍ର ୧.୫୩% ଲୋକ ଚାଷ ଉପରେ ନିର୍ଭର କରନ୍ତି। ତେଣୁ ଅଧିକ ବେକାର ହୋଇ ରହିଛନ୍ତି ବା ଭିଟାମାଟି ଛାଡ଼ୁଛନ୍ତି। ଖଣିରୁ ବାହାରୁଥିବା ଆବର୍ଜନା ପାଣି ନଦୀଜଳକୁ ବିଷାକ୍ତ କରୁଛି। ଲାଲ୍ ରଙ୍ଗର ପାଣି ଓ କାଦୁଅ ଚାଷ ଜମିରେ ମାଡ଼ି ଉର୍ବରତା ନଷ୍ଟ ହୋଇଯାଇଛି। ୬୦ରୁ ୭୦% ଲୋକ ଖଣିରେ କାମକରି ପରିବାର ପୋଷଣ କରନ୍ତି। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ସବୁକିଛି ମେସିନ୍ କରୁଥିବାରୁ ମାତ୍ର ୧୫ରୁ ୨୦% ଲୋକ କାମ କରିବାର ସୁଯୋଗ ପାଉଛନ୍ତି।
ବର୍ଷବର୍ଷ ଧରି ରୋଜଗାର ନପାଇ କିଛି ପରିବାର କୋଇଡା ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଅନେକ ଯୁବକ, ଯୁବତୀ ଭିଟାମାଟିରେ କାମ ନ ପାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଖଣିରେ ଲୀନ ହେବାକୁ ବସିଥିବା ୧୫ ପଞ୍ଚାୟତରୁ ୧୨ ପଞ୍ଚାୟତରେ ପାଖାପାଖି ୨୦%ରୁ ଅଧିକ ପରିବାର ଭିଟାମାଟି ଛାଡି ସାରିଲେଣି। ଏଭଳି ସ୍ଥିତି ଜାରି ରହିଲେ, ଆଗାମୀ ଦିନରେ ଯେଉଁ ୮୦% ଆଦିବାସୀ ପରିବାର ରହିଛନ୍ତି, ସେମାନେ ମଧ୍ୟ କୋଇଡା ଛାଡିଦେବେ ବୋଲି ଆଶଂକା କରାଯାଉଛି। ବର୍ତ୍ତମାନ ବ୍ଲକର ମୋଟ ଜନସଂଖ୍ୟା ୫୩, ୮୮୮। ସାକ୍ଷରତା ହାର ହେଉଛି ମାତ୍ର ୪୬.୧୩%। ଅନ୍ୟପଟେ ଖଣି ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ମଞ୍ଜୁର କୋଟିକୋଟି ଟଙ୍କା ବାଟମାରଣା ହେଉଛି। ଚାରାରୋପଣଠାରୁ ଆରମ୍ଭ କରି ୱାଡି, ସ୍ୱାସ୍ଥ୍ୟ, ଗମନାଗମନ, ପାଣି, ଶିକ୍ଷା, ହାତୀ କରିଡର ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସୁଥିବା ଟଙ୍କା ସବୁ କେତେ ଲୋକଙ୍କ ହିତରେ ଖର୍ଚ୍ଚ ହେଉଛି ଓ କେତେ ବାଟମାରଣା ହେଉଛି ତା’ର କିଛି ହିସାବ ନାହିଁ। ତେବେ ରାଜ୍ୟ ରାଜକୋଷକୁ ହଜାରହଜାର କୋଟି ଟଙ୍କାର ରାଜସ୍ବ ଦେଉଥିବା କୋଇଡ଼ା ଅଞ୍ଚଳର ଆଦିବାସୀ ଲୋକଙ୍କ ଜୀବନଜୀବିକା ପ୍ରତି ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ସମ୍ବେଦନଶୀଳ ବର୍ଗ ଦାବି କରି ଆସୁଛନ୍ତି।