ଜଗତସିଂହପୁର : ଜଗତ୍ସିଂହପୁର ଜିଲ୍ଲାରେ ଥିବା ୨୫୩ ସ୍ମାର୍ଟ ହାଇସ୍କୁଲ ମଧ୍ୟରୁ ୨୦ଟି ଏବେ ଅନ୍ଧାରରେ ରହିଛି। ଏହି ସ୍କୁଲ୍ ଗୁଡ଼ିକରେ ବିଦ୍ୟୁତ୍ ସେବା ନାହିଁ। ସେଥିପାଇଁ ଛାତ୍ରଛାତ୍ରୀମାନେ ସ୍ମାର୍ଟ ଏବଂ ଇ-କ୍ଲାସ୍ର ଫାଇଦାରୁ ବଞ୍ଚିତ ହେଉଛନ୍ତି। ସପ୍ତାହେ ହେଲା ଏହି ସ୍କୁଲଗୁଡ଼ିକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ଏ ଦିଗରେ କିଛି ବି ପଦକ୍ଷେପ ନେଇ ନାହାନ୍ତି। କେଉଁଠି ସ୍କୁଲରେ ଲାଗିଥିବା ପ୍ରି-ପ୍ରେଡ୍ ବିଜୁଳି ମିଟରର ଯୋଗୁଁ ଏମିତି ସମସ୍ୟା ସୃଷ୍ଟି ହେଉଛି ତ ଆଉ କେତେକଙ୍କ ପାଖରେ ବିଦ୍ୟୁତ୍ ବିଲ୍ ଦେବା ପାଇଁ ଆବଶ୍ୟକ ପାଣ୍ଠି ନାହିଁ। ପ୍ରକାରାନ୍ତରେ ଛାତ୍ରଛାତ୍ରୀମାନେ ଅନ୍ଧାରରେ ଦିନ କାଟୁଛନ୍ତି।
ସୂଚନା ମୁତାବକ, ପ୍ରଥମ ଦଫାରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ୨୦ଟି ହାଇସ୍କୁଲରେ ପ୍ରି-ପ୍ରେଡ୍ ବିଜୁଳି ମିଟର ଲାଗିଛି। ନିୟମ ମୁତାବକ ଏହି ମିଟର ଲାଗିଥିବା ଉପଭୋକ୍ତା ସମ୍ପୃକ୍ତ ସଂସ୍ଥାଠାରୁ ଅଗ୍ରୀମ ବିଦ୍ୟୁତ୍ କିଣିବାକୁ ପଡ଼ୁଛି। ଏହି ବିଦ୍ୟୁତ୍ ସେବା ଶେଷ ହୋଇ ଗଲେ ଉପଭୋକ୍ତାଙ୍କ ମୋବାଇଲକୁ ମେସେଜ୍ ଆସେ। ଯଦି ଏହି ସତର୍କ ମେସେଜ୍ ଆସିବା ପରେ ମଧ୍ୟ ଉପଭୋକ୍ତା ବିଦ୍ୟୁତ୍ ବିଲ୍ ଅଗ୍ରୀମ ପୈଠ ନକଲେ ସେମାନଙ୍କ ସଂଯୋଗ ଆପଣାଛାଏ କଟିଯାଏ। ମାତ୍ର ଏହି ପ୍ରି-ପେଡ୍ ବିଦ୍ୟୁତ୍ ମିଟର ହିଁ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଇଁ ସମସ୍ୟା ପାଲଟିଛି। ଟିପିସିଓଡିଏଲ୍ ପକ୍ଷରୁ କୁହାଯାଉଛି ଯେ, ବିଜୁଳି ସେବା କଟିବା ପୂର୍ବରୁ ପ୍ରଧାନଶିକ୍ଷକ କିମ୍ବା ସ୍କୁଲ ପରିଚାଳନା କମିଟି ନିକଟକୁ ମୋବାଇଲକୁ ମେସେଜ୍ ଯାଏ। ଏହାପରେ ଯଦି ସେମାନେ ବ୍ୟବସ୍ଥା ନ କରନ୍ତି, ତେବେ ଆପଣାଛାଏଁ ସେବାରୁ ବଞ୍ଚିତ ହେବେ। ଏଥିରେ କମ୍ପାନିର କୌଣସି ଭୂମିକା ନାହିଁ। ଅଧିକାଂଶ ସ୍କୁଲର ପ୍ରଧାନଶିକ୍ଷକ ମୋବାଇଲ ନମ୍ବର ପରିବର୍ତ୍ତନ କରୁଥିବା ବେଳେ ଆଉ କେତେକଙ୍କର ଅନ୍ୟ ସ୍କୁଲକୁ ବଦଳି ହୋଇଯାଉଛି। ଏଣୁ ସେମାନେ ଏହି ମେସେଜ ପ୍ରତି ଗୁରୁତ୍ବ ଦେଉନାହାନ୍ତି। ତେଣୁ ଏପରି ସମସ୍ୟା ସୃଷ୍ଟି ହେଉଛି। ବାକି ସ୍କୁଲ ଗୁଡ଼ିକ ନିକଟରେ ବିଜୁଳି କିଣିବା ପାଇଁ ଆବଶ୍ୟକୀୟ ପାଣ୍ଠି ନଥିବା ଅଭିଯୋଗ ହେଉଛି।
ନାଉଗାଁ ବ୍ଲକ୍ ରୋହିଆ ହାଇସ୍କୁଲରେ ସପ୍ତାହେ ହେବ ବିଜୁଳି ସଂଯୋଗ ନାହିଁ। ଏହି ସ୍କୁଲର ପରିଚାଳନା କମିଟି ନଥିବାରୁ ବିଜୁଳି ସଂଯୋଗ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରୁ ନାହିଁ। ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା କୁହନ୍ତି ଯେ, ୫-ଟି ଅଧୀନରେ ରୂପାନ୍ତରିତ ହୋଇଥିବା ସ୍କୁଲ ଗୁଡ଼ିକର ବିଦ୍ୟୁତ୍ ସେବା ବିଲ୍ ପୈଠ ପାଇଁ ପ୍ରଥମ ଦଫାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଆସିଛି। ଅଧିକ ଅନୁଦାନ ପାଇଁ ବିଭାଗକୁ ଚିଠି କରାଯାଇଛି।