ବଞ୍ଚିବାର ରାହା ଖୋଜୁଛନ୍ତି ୨୦ ଏସ୍‌ପିଓ

କାଳିଆପାଣି : ନକ୍ସଲ ପ୍ରବଣ ଅଞ୍ଚଳରେ ଏକଦା ସେମାନେ ପୁଲିସର ପ୍ରମୁଖ ସହଯୋଗୀ ଥିଲେ। ମାଓ ସମସ୍ୟା ପାଇଁ ନିଦ ହଜି ଯାଇଥିବା ବେଳେ ସେମାନେ ପୁଲିସ ପାଇଁ ଅମୋଘ ଅସ୍ତ୍ର ସାଜିଥି‌ଲେ। ଏସ୍‌ପିଓ ରୂପେ ସ୍ବଳ୍ପ ପାରିଶ୍ରମିକରେ କାମ କରୁଥିଲେ। ହେଲେ ମାଓ ସମସ୍ୟା ମୂଳପୋଚ୍ଛ ହେବାପରେ ଏହି ଏସ୍‌ପିଓମାନଙ୍କ ହାତଛାଡ଼ି ଦେଇଛି ପୁଲିସ। ବିନା ରୋଜଗାରେ ୨୦ରୁ ଊର୍ଦ୍ଧ୍ବ ଯୁବକ ଘାଣ୍ଟି ହେଉଛନ୍ତି।

ସିପିଆଇ(ମାଓବାଦୀ) ଚିନ୍ତାଧାରାରେ ଅନୁପ୍ରାଣିତ ଦୁଇ ଟପ୍‌ ମାଓ ନେତା ସୁଶୀଲ ଓ ଆନ୍ନା‌ ରେଡ୍ଡି ନେତୃତ୍ବାଧୀନ କଳିଙ୍ଗନଗର ଡିଭିଜନାଲ କମିଟି ଓ ସିପିଆଇ(ଜନଶକ୍ତି) ପକ୍ଷରୁ ତିନି ସୀମାନ୍ତ ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଯେତେବେଳେ ସମାନ୍ତରାଳ ଭାବେ ୫ ରୁ ୬ ମାଓ ଶିବିର ସକ୍ରିୟ ରହୁଥିଲା ସେତେବେଳେ ସେମାନେ ପୁଲିସ ସାଥୀ ଭାବେ ନାମକୁ ମାତ୍ର ପାରିଶ୍ରମିକରେ କାମ କରୁଥିଲେ। ପାଦେ ପାଦେ ବିପଦ ରହୁଥିବା ସ‌ତ୍ତ୍ବେ ଜୀବନକୁ ପାଣି ଛଡ଼ାଇ ସେମାନେ ନିଜ କର୍ତ୍ତବ୍ୟ ସଂପାଦନରେ ତିଳେ ମାତ୍ର ଅବହେଳା କରିନଥିଲେ। ସେମାନଙ୍କ ଅକୁଣ୍ଠ ସହଯୋଗ ପାଇଁ ଜିଲ୍ଲାରେ ୫୦ ରୁ ଅଧିକ ମାଓବାଦୀ ଆତ୍ମ ସମର୍ପଣ କରିଥିବା ବେଳେ ତା’ଠୁ ଅଧିକ ସଂଖ୍ୟାରେ ଗିରଫ ହୋଇଥିଲେ। ସପ୍ତାହକ ମଧ୍ୟରେ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ରାଇଘାଟି, ‌କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ପଞ୍ଚମ ଓ ପିଠା‌ଗୋଳା ଏନକାଉଣ୍ଟରରେ ତିନି ଜଣ ଏରିଆ କମାଣ୍ଡର ସହ ୯ ଜଣ କ୍ୟାଡର ମାଓବାଦୀ ପୋକମାଛି ଭଳି ମରିଥିଲେ। ନଗଡ଼ା, ଟିକରପଡ଼ା, ନାଲିଆଡାବ, କଣ୍ଢାର, ରଞ୍ଜାଗଡ଼, ବଡ଼ ଝିମେଇ, ସାନ ଝିମେଇ, ରେବଣା, ପଳାସପାଳ, ଏକୁଲ ଓ ସେକୁଲ ଭଳି ୧୨ ରୁ ୧୫ ମାଓ ଶିବିର ଧ୍ବଂସ ହୋଇଥିଲା। ଶେଷରେ ମାଓ ‌ନେତା ଆନ୍ନା ରେଡ୍ଡି ପୁଲିସ ହାତରେ ଗିରଫ ହେବା ସହ ସୁଶୀଲ ଓ ତା’ ପତ୍ନୀ ମାଓନେତ୍ରୀ ସୋନି ପୁଲିସ ଗୁଳିରେ ଟଳି ପଡ଼ିଥିଲେ। ଖୁବ୍‌ କମ୍ ଦିନ ମଧ୍ୟରେ ତିନି ଜିଲ୍ଲାରୁ ନକ୍ସଲ ସମସ୍ୟା ଅପସରି ଯାଇଥିଲା।

ଜିଲ୍ଲାରେ ମାଓ ଦମନ ପଛରେ ସ୍ଥାନୀୟ କିଛି ଯୁବକଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ବଣ ଜଙ୍ଗଲ ବୁଲି ଜୀବନକୁ ପାଣି ଛଡ଼ାଇ ସେମାନେ ପୁଲିସ ପାଇଁ ଗୁଇନ୍ଦାଗିରି କରୁଥିଲେ। ମାସକୁ ମାତ୍ର ୩ ହଜାର ଟଙ୍କା ବିନିମୟରେ ଏସ୍‌ପିଓ(ସ୍ବତନ୍ତ୍ର ପୁଲିସ ଅଫିସର) ଭାବେ ପୁଲିସ ବାହିନୀରେ କାମ କରୁଥିଲେ। ସେମାନଙ୍କ ଅବଦାନ ପାଇଁ ତିନି ଜିଲ୍ଲାକୁ ସରକାରଙ୍କ ପକ୍ଷରୁ ୫ ରୁ ୭ ବର୍ଷ ପୂର୍ବେ ନକ୍ସଲମୁକ୍ତ ଭାବେ ଇଲାକା ଭାବେ ଘୋଷଣା କରାଯାଇଛି। ତେବେ ପୁଲିସର ଲକ୍ଷ୍ୟ ହାସଲ ପରେ ଏହି ସହଯୋଗୀ ଯୁବକମାନେ ଏବେ ପୁଲିସ ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଦୂରେଇ ଦେଇଛି। ନା’ ଏବେ ସେମାନଙ୍କୁ ନିଯୁକ୍ତି ମିଳିଛି ନା’ ପାରିଶ୍ରମିକ ? ପୁଲିସ ଏବେ ସେମାନଙ୍କୁ ନ ଚିହ୍ନିଲା ଭଳି ବ୍ୟବହାର କରୁଛି। ଏହା ହିଁ ସେମାନଙ୍କ ପାଇଁ ସବୁଠୁ ବଡ଼ ବିଡ଼ମ୍ବନା ବୋଲି ଏସ୍‌ପିଓମାନେ ମତ ରଖିଛନ୍ତି। ତିନିବର୍ଷ ହେଲା ସେମାନେ ବେକାର ହୋଇ ହାତବାନ୍ଧି ବସି ରହିଛନ୍ତି। ‌ଭୋକ ଉପାସରେ ରହିବାକୁ ବାଧ୍ୟ ହୋଇଛନ୍ତି।

୨୦୦୯ ମସିହାରେ ପୁଲିସ ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଏସ୍‌ପିଓ ନିଯୁକ୍ତି ଦେଇଥିଲା। ସେମାନଙ୍କ ନାଁରେ ପାସବୁକ୍‌ ଖୋଲା ଯାଇଥିଲେ ମଧ୍ୟ ଏସବୁ ଥାନାରେ ରହୁଥିଲା। ପୁଲିସ ନିୟନ୍ତ୍ରଣରେ ରହି ସେମାନଙ୍କୁ ବ୍ୟାଙ୍କରୁ ଅର୍ଥ ଉଠାଇବାକୁ ପଡ଼ୁଥିଲା। ଅଧିକାଂଶ ଯୁବକ ଭଲରେ ଇଂରାଜୀ ଲେଖି ଜାଣିନଥିବା ସୁଯୋଗରେ କିଛି ଦୁର୍ନୀତିଗ୍ରସ୍ତ ପୁଲିସ ବାବୁ ଏହି ଯୁବକମାନଙ୍କୁ ଶୋଷଣ କରିବାକୁ ବି ପଛାଉ ନଥିଲେ। ପୁଲିସ ବିରୁଦ୍ଧରେ ପାଟି ଖୋଲିଲେ ମିଥ୍ୟା କେସ୍‌ରେ ଫସିବା କିମ୍ବା ନିଯୁକ୍ତି ହରାଇବା ଭୟ ଥିବାରୁ ଏସ୍‌ପିଓମାନେ ଚୁପ୍‌ ରହିବାକୁ ବାଧ୍ୟ ହେଉଥିଲେ। ସେତେବେଳେ ସେମାନଙ୍କୁ ନିୟମିତ ନିଯୁକ୍ତି କିମ୍ବା ଥଇଥାନ ପ୍ରତିଶ୍ରୁତି ମିଳିଥିଲା। ପୁଲିସର ପୂର୍ବ ପ୍ରତିଶ୍ରୁତି ଏବେ ପାଣିର ଗାର ସଦୃଶ ହୋଇଛି ବୋଲି ଏହି ଯୁବକମାନେ ଅଭିଯୋଗ କରନ୍ତି। ପୁଲିସ ଏ କ୍ଷେତ୍ରରେ ପୁନର୍ବିଚାର କରୁ ବୋଲି ହାଜାମ ଟୁଡ଼ୁ, ପ୍ରତାପ ଲୋହାର, ଛୋଟରାୟ ହେମ୍ବ୍ରମ, ମଙ୍ଗୁଳି ଲୋହାର, ପୁରେନ୍ଦ୍ର ମାରାଣ୍ଡି, ସାୱଁନା ସୋରେନ, ଜଗନ୍ନାଥ ଚାତାର, ବିକ୍ରମ ହେମ୍ବ୍ରମ, ଗଙ୍ଗା ମୁଣ୍ଡା, କାରାନ ହେମ୍ବ୍ରମ, ବାବୁନ ମାଝି, ସନାତନ ସେଠୀ, ସନାତନ ମୁର୍ମୁ, ହୃଦାନନ୍ଦ ଦେହୁରୀ, ସୁକାନ୍ତ ମାଝି, ଚନ୍ଦନ ଦେହୁରୀ, କାହ୍ନୁ ମାରାଣ୍ଡି, ସାଗର ମହାକୁଡ଼ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର