ରାଜନଗର: ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭିତରକନିକାରେ ଲୁଣିପାଣି ଧଳା ବଉଳା କୁମ୍ଭୀରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶର ଅନ୍ୟ କୌଣସି ସ୍ଥାନରେ ଧଳା କୁମ୍ଭୀରଙ୍କୁ ଦେଖିବାକୁ ମିଳୁ ନଥିବା ବେଳେ ଭିତରକନିକାରେ ଏହି ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଆବଦ୍ଧ ପୋଖରୀରେ ରହି ପର୍ଯ୍ୟଟକଙ୍କ ମନ ମୋହୁଥିବା ‘ଗୋରୀ ଓ ‘ମଲ୍ଲୀକୁ ବାଦ୍ ଦେଇ ଚଳିତବର୍ଷ ଗଣନା ସମୟରେ ଭିତରକନିକାର ନଦୀନାଳରେ ୨୦ଟି ଧଳା କୁମ୍ଭୀର ରହିଥିବା ବିଶିଷ୍ଟ ଜୀବ ବିଜ୍ଞାନୀ ଗବେଷକ, କୁମ୍ଭୀର ବିଷାରଦ ଡକ୍ଟର ସୁଧାକର କର ସୂଚନା ଦେଇଛନ୍ତି। ଥାଇଲାଣ୍ତରେ ଧଳା କୁମ୍ଭୀରଙ୍କୁ ଦେଖିବାକୁ ମିଳିଥାଏ। ମାତ୍ର ପ୍ରାକୃତିକ ପରିବେଶରେ ଧଳା କୁମ୍ଭୀରଙ୍କ ସଂଖ୍ୟା ଭିତରକନିକାରେ ଅଧିକ ବୋଲି ଡକ୍ଟର କର କହିଛନ୍ତି।
ଚଳିତମାସ ୧୦ରୁ ୧୨ ତାରିଖ ଯାଏ ୩ଦିନ ଧରି ୨୨ଟି ଟିମ୍ ଭିତରକନିକା ଅଭୟାରଣ୍ୟ ଭିତରେ ଓ ବାହାରେ ବଉଳା କୁମ୍ଭୀରମାନଙ୍କ ଗଣନା କରିଥିଲେ। ଏହି ଗଣନାରେ ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇ ୧୮୧୧ରେ ପହଞ୍ଚିଛି। ଗୋପାଳଜିଉପାଟଣା, କାଳିଭଂଜଡିଆ, ଶାଗୁଣାଚର ଓ ଭିତରକନିକା ନଦୀରେ ୧୮/୧୯ ଫୁଟ ଲମ୍ବର ୬ଟି ବଡ଼ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା। ଉଭୟ ମାଈ ଓ ଅଣ୍ତିରା ଧଳା କୁମ୍ଭୀର ଭିତରକନିକାରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଣ୍ତିରା ଧଳା କୁମ୍ଭୀରଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡିଛି।
ଅନ୍ୟପଟେ ଦୀର୍ଘ ୫ ଦଶନ୍ଧି ଧରି ଧଳା କୁମ୍ଭୀର ‘ଗୋରୀକୁ ନେଇ ଲାଗି ରହିଥିବା ଉତ୍କଣ୍ଠା ଏଯାଏ ରହିଛି। ୪୯ ବର୍ଷରେ ପାଦ ଦେଇଥିବା ‘ଗୋରୀ ଆଜି ଯାଏ ମା ହୋଇପାରିନାହିଁ। ୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିବା ‘ଗୋରୀ ଭାରତର ପ୍ରଥମ ଧଳା କୁମ୍ଭୀରର ମାନ୍ୟତା ପାଇଥିଲା। ଗୋରୀର ବୟସାଧିକ ଯୋଗୁଁ ତାହା ଦେହର ରଙ୍ଗ କଳା ପଡି ଆସୁଥିବା ବେଳେ ଆବଦ୍ଧ ପୋଖରୀରେ ଥିବା ୨୦ ବର୍ଷୀୟ ‘ମଲ୍ଲୀ ଏବେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି। ୨୦୦୩ ମସିହାରେ ବାଙ୍କୁଆଳ ଗାଁ ପଛ ଜଙ୍ଗଲରୁ ଏକ ସାଙ୍ଗେ ଦୁଇଟି ଧଳା କୁମ୍ଭୀର ଛୁଆଙ୍କୁ ବନ କର୍ମଚାରୀ ଧରିଥିଲେ। ଅଧିକ ସଫା ଦିଶୁଥିବା ଧଳା କୁମ୍ଭୀର ଛୁଆକୁ ଗୋରୀ ରହୁଥିବା ପାଖ ପୋଖରୀରେ ରଖାଯାଇ ତା ନାଁ ‘ମଲ୍ଲୀ ଦିଆଯାଇଥିଲା।